କେନ୍ଦ୍ରାପଡା ଉପରେ ନବୀନଙ୍କ ଫୋକସ ! ପ୍ରଚାରର ଶେଷ ଦିନରେ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାରେ ସମାବେଶ, ରୋଡ ସୋ କରି ମାଗିବେ ଭୋଟ

136

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରି ସରି ଆସୁଛି ପ୍ରଚାର ଅବଧି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଶେଷ ମୁହୂର୍ତ୍ତରେ ସବୁ ଜୋର ଲଗାଇଦେଇଛନ୍ତି ଶୀର୍ଷ ନେତା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ରାତ୍ରିଯାପନ ପରେ ଆଜି ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଜନସଭା ଓ ରୋଡ ସୋ କରି ଭୋଟ ମାଗିବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଥିବା ବେଳେ ଗତକାଲି କେନ୍ଦ୍ରାପଡା ଓ ଜଗତସିଂହପୁରରେ ବିଶାଳ ରୋଡ ସୋ ଓ ସମାବେଶକୁ ସମ୍ବୋଧନ କରିଥିଲେ ।

କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଡେରାବିଶ, ଦୁହୁଡିଆ, ତିନି ମୁହାଣୀ, କଲେଜ ଛକ ଓ କଜଳା ଛକ ଦେଇ ରୋଡ ସୋ କରି ବଳଦେବଜୀଉ ମନ୍ଦିରରେ ପହଁଚିଥିଲେ ନବୀନ । ପ୍ରଚାର ଶେଷ ପର୍ଯ୍ୟାୟରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି ନବୀନ । ବିଜେଡି ସୁପ୍ରିମୋ ଅଭିଯୋଗ କରିଛନ୍ତି ଓଡ଼ିଶାର ସ୍ୱାର୍ଥ ନୁହେଁ, ବିଜେପି ପାଇଁ ମୂଲ୍ୟବାନ ଓଡିଶାବାସୀଙ୍କ ଭୋଟ । ନିର୍ବାଚନ ବେଳେ ଭୋଟ ମାଗିବା ପାଇଁ ୧୦ ଥର ପ୍ରଧାନମନ୍ତ୍ରୀ ଆସିଲେଣୀ, ହେଲେ ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ତାଙ୍କର ଦେଖା ନଥିଲା ।