କରୋନା ପାଇଁ ଘରୋଇ ସ୍କୁଲ ଗୁଡ଼ିକ ଫି କମାଇବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ : ଏପ୍ରିଲରୁ ଜୁୁନ୍ ଯାଏଁ ଫି କମ କରିବା କିମ୍ବା ଘୁଞ୍ଚବା ପାଇଁ ନବୀନଙ୍କ ପରାମର୍ଶ, ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

1,755

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ପାଇଁ ସଙ୍କଟ ଦେଇ ଗତି କରୁଛି । ଦେଶବ୍ୟାପୀ ତାଲାବନ୍ଦ ରହିଛି । ତାଲାବନ୍ଦ ସମୟରେ ସହାନୁଭୂତି ଦେଖାଇ ସ୍କୁଲ ଫି କମାଇବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । କରୋନା ସ୍ଥିତିକୁ ଆଖି ଆଗରେ ରଖି ଘରୋଇ ଶିକ୍ଷାନୁଷ୍ଠାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏପରି ଅପିଲ କରିଛନ୍ତି ।

ଏପ୍ରିଲରୁ ଜୁୁନ୍ ପର୍ଯ୍ୟନ୍ତ ସ୍କୁଲ ଫି କମ୍ କିମ୍ବା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଓଡିଶା ସରକାର, ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନକୁ ସହାନୁଭୂତି ଦେଖାଇବାକୁ ପରାମର୍ଶ ଦେଇଛନ୍ତି । କରୋନା ପାଇଁ ସାରା ଦେଶର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବା ବେଳେ ଏପରି ନିଷ୍ପତ୍ତି ଆର୍ଥିକ କ୍ଷତି ସହୁଥିବା ଅଭିଭାବକଙ୍କୁ ସହାୟକ ହେବ ।  କରୋନାଭାଇରସ୍‌ ସଂକ୍ରମଣ ପ୍ରତିରୋଧ କରିବାକୁ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରତିକୂଳ ଭାବେ ରୋଜଗାର ପ୍ରଭାବିତ ହୋଇଥିବା ଅଭିଭାବକମାନଙ୍କୁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବାବେଳେ ଅଧିକାଂଶ ଲୋକଙ୍କର ଆୟ ପ୍ରଭାବିତ ହୋଇଛି । ଏପରିକି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଲୋକ ରୋଜଗାର ହରାଇଛନ୍ତି ।

କରୋନାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଗତକାଲି ଲକଡାଉନ୍ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର । କେବଳ ଏତିକି ନୁହେଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସାରା ରାଜ୍ୟରେ ଯାଂଚ କଡ଼ାକଡ଼ି ହେଉଛି । ଘରୁ ନବାରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି ।  କରୋନା ଗତ ଏକ ଶତାଦ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ନିଷ୍ପତ୍ତି ନିଆଯାଇଛି ବୋଲି ଏକ ଭିଡିଓ ବାର୍ତ୍ତାରେ ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ।