ନିର୍ବାଚନୀ ସଭାରୁ କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ! ଚିଲିକାକୁ ବିକ୍ରି କରିଦେବାକୁ ଉଦ୍ୟମ କରୁଥିଲା ବିଜେପି, ଏହାକୁ ଭଣ୍ଡୁର କରିଛି ବିଜେଡି

282

କନକ ବ୍ୟରୋ : ନୟାଗଡ ରଣପୁର ଓ ଚିଲିକା ନିର୍ବାଚନୀ ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଲିକାରେ ଜନସଭାକୁ ସଂବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଏହି ଚକ୍ରାନ୍ତକୁ ଅଟକାଇଛି ବିଜେଡି । ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା । ଓଡିଶାର ଗୌରବ । ସେ ଥିବା ପର୍ଯ୍ୟନ୍ତ ଚିଲିକାରେ କ୍ଷତି ଦେବାକୁ ଦେବିନି । ଆପଣଙ୍କ ସ୍ୱାର୍ଥ ସହିତ ସବୁବେଳେ ଅଛି ବୋଲି କହିଛନ୍ତି ନବୀନ ।

ସେପଟେ ପୁଣି ଚିଲିକା ନିର୍ବାଚନୀ ସଭାରେ କାଳିଆ ଯୋଜନାର ସଫଳତା ବିଷୟରେ  ବଖାଣିଲେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କ ଉପକୃତ ହେଲେଣି । କେନ୍ଦ୍ର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି ।

ଅନ୍ୟପଟେ ନୟାଗଡ ରଣପୁର ଓ ଚିଲିକାରେ ନିର୍ବାଚନୀ ସଭାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ରୋଡ ସୋ ଆରମ୍ଭ କରିଛନ୍ତି । ସାତପଡାରୁ ନବୀନଙ୍କ ରୋଡ ସୋ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ହାଇଟେକ ବସରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ମାଗୁଛନ୍ତି । ନବୀନଙ୍କ ଝଲକ ପାଇବା ପାଇଁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ସାତପଡାରୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ନବୀନ । ଏହା ପରେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ସୋ କରିବା କାର୍ଯ୍ୟକ୍ରମ ରହିଛି ।