ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ : ଓଡ଼ିଆ ସଂଗଠନ ଗୁଡିକ ଆଗେଇ ଆସିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

1,202

କନକ ବ୍ୟୁରୋ : ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ଭିଡ଼ିଓ ଜାରି କରି ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁବାକିଲା ସମୟରେ ରାଜ୍ୟରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।  କରୋନା ସଂକ୍ରମଣ ସାଙ୍ଗକୁ ଘରକୁ ଫେରିବା ଚିନ୍ତାରେ ଘାଣ୍ଟି ହେଉଛନ୍ତି ।  ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାହାରେ ଥିବା ଓଡ଼ିଆ ସଂଗଠନ ଗୁଡ଼ିକର ସହାୟତା ଲୋଡ଼ିଛନ୍ତି ।

 

ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ଓଡ଼ିଆମାନେ ତାଲା ବନ୍ଦ କାରଣରୁ ଫସିରହିଥିବା ନେଇ ଅନେକ ଖବର ବାରମ୍ବାର ସାମ୍ନାକୁ ଆସୁଛି । ସେମାନଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେବାକୁ ଭିଡ଼ିଓ ମାଧ୍ୟମରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସହାୟତା ପାଇଁ ସଂଗଠନ ଗୁଡ଼ିକର ସମସ୍ତ ଖର୍ଚ୍ଚ ବହନ କରାଯିବ । ଏବଂ ସହଯୋଗ ବାବଦର ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଭରଣା କରାଯିବ ବୋଲି କହିଛନ୍ତି । ପୂର୍ବରୁ ଓଡ଼ିଆଙ୍କୁ ସାହାଯ୍ୟ କରିବାକୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଜନତାଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଗତକାଲି କରୋନା ମୁକାବିଲା ପାଇଁ ୨୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।