ତ୍ରିପୁରା ଫର୍ମୁଲା ଓଡ଼ିଶାରେ କାମ ଦେବନି, ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବିଜେଡି ! ମୋଦିଙ୍କ ମନ୍ତବ୍ୟର କଡା ଜବାବ ରଖିଲେ ନବୀନ

356

କନକ ବ୍ୟୁରୋ : ଆଗାମୀ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ବିଜୁ ଜନତା ଦଳ । ମୋଦିଙ୍କ ତ୍ରିପୁରା ଫର୍ମୁଲା ଓଡ଼ିଶାରେ କାମ କରିବ ନାହିଁ । ଗତକାଲି ମୋଦିଙ୍କ ତ୍ରିପୁରା ଫର୍ମୁଲା ମନ୍ତବ୍ୟ ନେଇ ଆଜି କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥି ସହ ଖୁବ ଶୀଘ୍ର ବଳକା ୩ ଲୋକସଭା ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ମୋଦି କହିଥିଲେ, ଓଡିଶାର ଫଳାଫଳ ଏଥର ଚମକାଇଦେବ । ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କଥା ହେଲାବେଳେ ଏପରି ଦୃଢ଼ୋକ୍ତି କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ତ୍ରିପୁରା ଫର୍ମୁଲା କାମ କରିବ । ଓଡ଼ିଶାରେ ବିଜେପି ଦୁର୍ବଳ ନୁହେଁ, ଚଳିତ ନିର୍ବାଚନରେ ଏହା ସ୍ପଷ୍ଟ ହୋଇଯିବ । ତ୍ରିପୁରାରେ ମାଣିକ ସରକାରଙ୍କ ୨୦ ବର୍ଷର ଗଡ଼କୁ ଭାଙ୍ଗି ପୂର୍ଣ୍ଣ ବହୁମତ ହାସଲ କରିଥିଲା ବିଜେପି । ଏଥର ଓଡ଼ିଶାରେ ମଧ୍ୟ ନବୀନ ସରକାରଙ୍କ ଗଡ଼କୁ ଭାଙ୍ଗିବେ ଓଡ଼ିଶାବାସୀ । ଏଥର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ସେପଟେ ମୋଦିଙ୍କ ତ୍ରିପୁରା ଫର୍ମୁଲା ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଶଶୀଭୂଷଣ ବେହେରା । ସେ କହିଛନ୍ତି ୧୯ ବର୍ଷରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ତଥା ବିଜୁ ଜନତା ଦଳର ପତିଆରା ରହିଛି । ସାଧାରଣ ଲୋକ ବିଜୁ ଜନତା ଦଳ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏହାକୁ ପରଖିବାରେ ଭୁଲ କରୁଛନ୍ତିି ଓ ତ୍ରିୁପୁରା କଥାକୁ ଉଦାହରଣ ଦେଇଛନ୍ତି । ଏଥର ବି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପୁଣି ସରକାର ଗଢ଼ିବ ।