ଦାମଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ, ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କରାଯାଇଛି ବହିଷ୍କାର

54

କନକ ବ୍ୟୁରୋ : ଦାମ ରାଉତଙ୍କୁ ବହିଷ୍କାର ପରେ ଦିଲ୍ଲୀରେ ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦାମ ରାଉତ ଦଳବିରୋଧୀ କାର୍ଯ୍ୟରେ ସାମିଲ ଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଗତକାଲି ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଦାମଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ଦାମଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଦାମବାବୁଙ୍କୁ ବହିଷ୍କାର କରିବା ଛଡା ଦଳର ସଭାପତିଙ୍କ ପାଖରେ ଆଉ କିଛି ବିକଳ୍ପ ଥିଲା କି । ଗୋଟିଏ ରାଜନୈତିକ ଦଳ କିଭଳି ଚାଲେ ଓ ଦଳର ନେତୃତ୍ୱ ନେବା ପାଇଁ ସର୍ବନିମ୍ନ ଯେଉଁ ଆବଶ୍ୟକତା ଥାଏ ତାହା ହେଉଛି ଶୃଙ୍ଖଳା । ଆଉ ଏହା ଆଚରଣ ଓ ଉଚ୍ଚାରଣରେ ପରିପ୍ରକାଶ ହେବା ଦରକାର । ଅନ୍ୟପଟେ ଦାମଙ୍କୁ କଂଗ୍ରେସରେ ମିଶିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି , ଜଣେ ସ୍ୱାଭିମାନୀ ଓଡିଆ ଭାବରେ ରାଜ୍ୟର ବିକାଶ ପାଇଁ ଦାମ କଂଗ୍ରେସକୁ ଆସନ୍ତୁ ।

ସେପଟେ ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦାମ ଓ ବୈଜୟନ୍ତଙ୍କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି । ଦୁଇ ନେତାଙ୍କ ପରବର୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଦାମଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ କହିଛନ୍ତି, ଦାମଙ୍କ ସହ ଅନ୍ୟାୟ କରାଯାଇଛି । ଦାମ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତା ଉପରେ ତଦନ୍ତ କରିବା ଉଚିତ ଥିଲା ବୋଲି କହିଛନ୍ତି ବୈଜୟନ୍ତ । ସେପଟେ ଦାମ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତଙ୍କ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହିଁ ବୋଲି ଦାମ କହିଛନ୍ତି ।