କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଛି ମୋ ସରକାର କାର୍ଯ୍ୟକ୍ରମ । ପ୍ରଶାସନକୁ ଅଧିକ ଉତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି ଅବସରରେ ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ‘ଟି’ ସଚିବ ଭି. କାର୍ତିକେୟନ ପାଣ୍ଡିଆନ । ଆଉ ପୋଲିସ ବାବୁଙ୍କୁ ପଢ଼ାଇଛନ୍ତି ପାଠ ।
ଅକ୍ଟୋବର ୨ରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ କରି ସମସ୍ୟା ବୁଝିବେ । ଥାନାବାବୁ କିଭଳି ବ୍ୟବହାର କରୁଛନ୍ତି, ଅଭିଯୋଗକାରୀ କିପରି ସେବା ପାଉଛନ୍ତି , ସେ ନେଇ ପଚାରି ବୁଝିବେ ନବୀନ । ଯେଉଁ ଥାନା ଅଥିକାରୀ ଭଲ କାମ କରିବେ ସେମାନଙ୍କୁ ପଦୋନ୍ନତି ଦିଆଯିବ । ଆଉ ଯାହାର ପ୍ରଦର୍ଶନ ସନ୍ତୋଷଜନକ ହେବନାହିଁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଏଫଆଇଆରକୁ ପଂଜିକରଣ କରିବା ସହ ସେମାନଙ୍କ ଫୋନ ନମ୍ବରକୁ ମୋ ସରକାର ପୋଟାଲରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ଥାନା ଅଧିକାରୀଙ୍କୁ ୮ ସୂତ୍ରୀ ପରାମର୍ଶ..
ନିର୍ଦ୍ଦିଷ୍ଟ ସମୟରେ କାମ ଶେଷ କର
ଦକ୍ଷତାର ସହ କାମ କର
କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହୁଅ
ସୌଜନ୍ୟତା ଦେଖାଇବା ସହ ଭାଷାରେ ଶାଳୀନତା ରକ୍ଷାକର
ଭଦ୍ର ଆଚରଣ କରିବା ସହ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ
ସମବେଦନାର ସହ ଲୋକଙ୍କ ଅଭିଯୋଗ ଶୁଣ
ମୋ ସରକାର ଜରିଆରେ ରାଜ୍ୟ ସରକାର ବ୍ୟବସ୍ଥାରେ ଆମୁଳଚଳ ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସେପଟେ ଏହାକୁ ପ୍ରହସନ ବୋଲି କହିଛନ୍ତି ବିରୋଧୀ । ରାଜ୍ୟର ୬୩୫ ଜଣ ଥାନା ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଉଦେଶ୍ୟ ରହିଛି, ଲୋକେ ସରକାରୀ ସେବା ପାଇଁ ପଛରେ ଗୋଡାଇବେ ନାହିଁ । ନିଜ ଆଡୁ ସେବା ଯୋଗାଇଦେବେ ସରକାର । ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ଏପରି ପରିବର୍ତ୍ତନ ଆସିବ, ଆଉ ବର୍ଷ ବର୍ଷ ଧରି ଚାଲିଥିବା ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।