କେନ୍ଦ୍ରାପଡ଼ାରେ ଆଜି ଫୋନି କ୍ଷୟକ୍ଷତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ନବୀନଙ୍କ ସହାୟତା ଘୋଷଣା ଉପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଆଖି

144

କନକ ବ୍ୟୁରୋ : ଆଜି କେନ୍ଦ୍ରାପଡ଼ାରେ ଫୋନି କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି । ଅପରାହ୍ଣ ୪: ୨୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହିତ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି ।

ସୂଚନାଯୋଗ୍ୟ ଗତକାଲି ପୁରୀରେ ଫୋନି କ୍ଷୟକ୍ଷତି ସମୀକ୍ଷା ପାଇଁ ପୁରୀବାସୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବିଜୁଳି ନ ଆସିବା ଯାଏଁ ୧୦ ଦିନ ଅନ୍ତରରେ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନ୍ ଦିଆଯିବ ବୋଲି କହିଥିଲେ । ପରିବାର ପିଛା ୫୦ କିଲୋଗ୍ରାମ ଚାଉଳ ବନ୍ୟା ବିପନ୍ନଙ୍କ ମଧ୍ୟରେ ୧୦ ଲକ୍ଷ କ୍ୟାଣ୍ଡେଲ ବଂଟାଯିବ । ସେହିପରି ସମସ୍ତ ମହିଳାଙ୍କୁ ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଆଜି ଯାଜପୁରବାସୀଙ୍କ ପାଇଁ ସହାୟତା ଘୋଷଣା କରାଯିବ ବୋଲି ଲୋକେ ଆଶା ରଖିଛନ୍ତି ।