ସୁବର୍ଣ୍ଣପୁର ନିର୍ବାଚନୀ ସଭାରେ ନବୀନଙ୍କ ଆକଳନ ! କେନ୍ଦ୍ରରେ ଜାତୀୟ ଦଳକୁ ମିଳିବନି ବହୁମତ,ସରକାର ଗଠନରେ ବିଜେଡିର ରହିବ ଭୂମିକା

154

କନକ ବ୍ୟୁରୋ :  ସୁବର୍ଣ୍ଣପୁର ବୀରମହାରାଜପୁରର କୈରାଝୁଲି ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର  କରୁଛନ୍ତି ବିଜେଡ଼ି ସୁପ୍ରିମୋ । ଓଡ଼ିଶାବାସୀଙ୍କ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବି ବୋଲି ଭରସା ଦେଇଛନ୍ତି ନବୀନ । ପ୍ରଚାର କରିବା ସହ ନିର୍ବାଚନୀ ସଭାରେ ଲୋକସଭା ନିର୍ବାଚନ ଫଳାଫଳ ନେଇ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରରେ କୌଣସି ଜାତୀୟ ଦଳ ଏଥର ବହୁମତ ପାଇବେନି । ସରକାର ଗଠନରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ଏହା ବ୍ୟତୀତ ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ‘କାଳିଆ’କୁ ବନ୍ଦ କରିବା ପାଇଁ ଚକ୍ରାନ୍ତି ଚଳାଇଛି । ମୁଁ ଥିବା ପର‌୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ଚାହିଁଲେ ବି ବନ୍ଦ କରିପାରିବେ ନାହିଁ । ବିଜେଡ଼ି କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇ କିସ୍ତିର ଟଙ୍କା ୧୦ ହାଜର ଟଙ୍କାର ପାଇବେ । କେନ୍ଦ୍ରକୁ ସମାଲୋଚନା କରି ନବୀନ କହିଛନ୍ତି ନିର୍ବାଚନ ହେଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ତିତିଲି, ମରୁଡ଼ି, ବନ୍ୟା, ବାତ୍ୟା ବେଳେ କୌଣସି କେନ୍ଦ୍ରୀୟ ନେତା ଓଡ଼଼ିଶା ଆଡ଼େ ଆଡ଼ ଦୃଷ୍ଟିରେ ଚାହିଁଲେନି । ଆଉ ଏବେ ନିର୍ବାଚନ ପାଇଁ ଓଙ୍ଗ଼ିଶା ଦଉଡ଼ୁଛନ୍ତି କେନ୍ଦ୍ରୀୟ ନେତା । ଭୋଟ୍ ହାତେଇବା ପାଇଁ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । ରାଜ୍ୟବାସୀଙ୍କ ହିତରେ ତାଙ୍କର କୌଣସି ମନ ନାହିଁ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବିଫଳତାକୁ ନେଇ କଲେ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ।

ମହାନଦୀ ପାଣିକୁ ଛତିଶଗଡ଼ ସରକାର ଅଟକାଇ ରଖିିଲେ । ଏନେଇ ଅଭିଯୋଗ ହେଲେ ମଧ୍ୟ କେନ୍ଦ୍ର ଓଡ଼଼ିଶାକୁ ଅଣଦେଖା କଲା । ଅଭିଯୋଗ ଶୁଣିଲାନି । ରାଜ୍ୟ ସରକାର ଜମି ଦେବାସତ୍ୱେ ରେଳ ଲାଇନ୍ ହେଲାନି । ଏସସି/ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା ? ବୀମା କରି ଚାଷୀ ହଇରାଣ ହେଉଛି ? ଦୁଇଗଣା ଏମଏସପି କୁଆଡ଼େ ଗଲା ? ବୁଣାକାରଙ୍କ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇଲେ । କେବିକେ ଯୋଜନା କାହିଁକି ବନ୍ଦ ହେଲା ? ଏନେଇ କେନ୍ଦ୍ରକୁ ପ୍ରଶ୍ନ କରିବା ପାଇଁ ଜନତାଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।