କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା : ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

165

କନକ ବ୍ୟୁରୋ : କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶପାଇବା ପରେ ଟ୍ଵିଟରରେ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟରେ ଲେଖିଛନ୍ତି ‘ଦଶମ ବୋର୍ଡ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ସମସ୍ତଙ୍କ କୃତୀ ଛାତଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ନବୀନ ।

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ହୋଇଛି । ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ କରିଛନ୍ତି । ସେହିପରି ୨ଲକ୍ଷ ୫ହଜାର ୪୭୦ ଜଣ ଝିଅ ପାସ କରିଛନ୍ତି । ଝାରସୁଗୁଡାରେ ସର୍ବାଧିକ ପାସହାର ୮୫ ଦଶମିକ ୪୮ ପ୍ରତିଶତ ରହିଥିବା କୋରାପୁଟରେ ସର୍ବନିମ୍ନ ପାସହାର ୫୦ ଦଶମିକ ୬୧ ପ୍ରତିଶତ ରହିଛି । ଚଳିତ ବର୍ଷ ଏ ୱାନ ଗ୍ରେଡ ୧୧୮୧ ଜଣ ପାସ ହୋଇଥିବା ବେଳ ଏ ଟୁ ଗ୍ରେଡ ପାଇଛନ୍ତି ୯ହଜାର ୯୩୮ । ବି ୱାନ ଗ୍ରେଡ ୨୪ ହଜାର ୯୯୧ ଜଣ ପରୀକ୍ଷାର୍ଥୀ ଓ ବି ଟୁ ଗ୍ରେଡରେ ୪୬ ହଜାର ୩୧୯ ଜଣ ପାସ କରିଛନ୍ତି । ସେହିପରି ସି ଗ୍ରେଡ ୭୬ହଜାର ୧୩୯ ଜଣ ପରୀକ୍ଷାର୍ଥୀ ପାଇଥିବା ବେଳେ ଡି ଗ୍ରେଡରେ ରହିଛନ୍ତି ୧ଲକ୍ଷ ୧୬ହଜାର ୨୬୨ ଜଣ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୧୮୯ଟି ସ୍କୁଲରେ ଶତପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି । ଅର୍ଥାତ ଏହି ସ୍କୁଲରେ କୌଣସି ବି ପରୀକ୍ଷାର୍ଥୀ ପାସ କରିନାହାନ୍ତି । କଣ ପାଇଁ ଏହି ସମସ୍ତ ସ୍କୁଲରେ ରେଜଲ୍ଟ ଖରାପ ହୋଇଛି । ସେ ନେଇ ତର୍ଜମା କରାଯିବା ସହ ଖରାପ ରେଜଲ୍ଟ ହୋଇଥିବା ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।

Comments are closed.