କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ! କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ ଟଙ୍କା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ । ମିଳିବ ସହିଦର ସମ୍ମାନ

561

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଜୀବନକୁ ପାଣି ଛଡ଼ାଇ ଅନବରତ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ପାଇଁ  ବଡ଼ ଘୋଷଣା କରିଛନ୍ତି ନବୀନ । କରୋନା ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ । ସମସ୍ତ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା ଦିଆଯିବ । ଏହାସହ କରୋନା ଯୋଦ୍ଧା ପ୍ରାଣ ହରାଇଲେ ପରିବାରକୁ ଅବସର ଯାଏଁ ପୁରା ଦରମା ପ୍ରଦାନ କରାଯିବ । ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ସମୟରେ ଏପରି ଘୋଷଣା କରିଛନ୍ତି ।

କେବଳ ଏତିକି ନୁହେଁ ମୃତ୍ୟୁ ପରେ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ସହିଦର ଆଖ୍ୟା ଦେବେ । ଏବଂ ସେମାନଙ୍କର ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।  ଜାତୀୟ ଦିବସରେ ଅଗ୍ରଣୀ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ । ଏତଦ୍ ବ୍ୟତୀତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପେନସନ୍ ମଧ୍ୟ ପ୍ରଦାନ କରାଯିବ । କରୋନା ଲଢେଇରେ ସାମିଲ ସମସ୍ତ କର୍ମଚାରୀଙ୍କୁ ସମାନ ସୁବିଧା ମିିଳିବ । ଚିକିତ୍ସା କାମରେ ନିୟୋଜିତ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ । କାମ ବେଳେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ବୀମା ସହ ସହିଦର ସମ୍ମାନ ମିଳିବ ।  ପୂର୍ବରୁ କରୋନା ଯୋଦ୍ଧାଙ୍କୁ ଆଗୁଆ ଦରମା ପ୍ରଦାନ କରାଯାଇଥିଲା ବେଳେ ଏବେ ରାଜ୍ୟ ସରକାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଏପରି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ । ଡାକ୍ତରଙ୍କୁ ଆକ୍ରମଣ କଲେ, କାର୍ଯ୍ୟରେ ବାଧା ଦେଲେ ଛଡ଼ାଯିବ ନାହିଁ । ଡାକ୍ତରଙ୍କ ପ୍ରତି ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ଲାଗୁ ହେବ ବୋଲି ସେ କହିଛନ୍ତି । ଏହାକୁ ରାଷ୍ଟ୍ରବିରୋଧୀ କାର୍ଯ୍ୟ ଭାବେ ଗଣାଯିବ । ଜାତୀୟ ନିରାପତ୍ତା ଆଇନ୍ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ କରୋନା ଯୋଦ୍ଧାଙ୍କ ସହ ସଦାସର୍ବଦା ଛିଡ଼ା ହେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।