କନକ ବ୍ୟୁରୋ : ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସଭିଲ୍ ସର୍ଭିସ ପରୀକ୍ଷା ୨୦୧୭ ପରୀକ୍ଷାରେ କୃତୀ ପ୍ରତିଯୋଗୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସେବା ପାଇଁ ଅଧିକାରୀମାନେ କେଉଁ ଦିଗରେ ଅଧିକ ସଚେତନ ହେବା ଉଚିତ୍ ? ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କରେ ରହିବାକୁ ହେବ । ସମସ୍ତ ନିଷ୍ପତ୍ତି ଲୋକଙ୍କ ହିତ ଉଦ୍ଦେଶ୍ୟରେ ନେବାପାଇଁ ବଦ୍ଧ ପରିକର ହୁଅ । ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହ ଲୋକଙ୍କ ସମସ୍ୟା ଓ ସମାଧାନ ବୁଝିବା ଉଚିତ ।

Advertisment

ନବୀନ କହିଛନ୍ତି, ଲୋକଙ୍କ ସରକାର, ନବୀନ ସରକାର । ଲୋକ କଲ୍ୟାଣ ପାଇଁ ହିଁ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ କାର୍ଯ୍ୟକ୍ରମ କରାଯାଉଛି । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସବୁବେଳେ ଚେଷ୍ଟାରତ । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ଉପରେ ଫୋକସ୍ କରିବା ପାଇଁ ନବନିଯୁକ୍ତ ପ୍ରଶାସନିକ ଅଧିକକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମୱର୍କ, ଟ୍ରାନ୍ସଫରମେସନ ଓ ଟାଇମ ଉପରେ ଗୁରୁତ୍ୱ ଆବଶ୍ୟକ ବୋଲି ନବୀନ କହିଛନ୍ତି । ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ । ୫ଟି ମନ୍ତ୍ରକୁ ମାନି ଚଳିବା ଦ୍ୱାରା ପ୍ରଶାସନିକ ଅଧିକାରୀମାନେ ସଫଳ ଭାବେ ଦାୟିତ୍ୱ ନିର୍ବାହ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଓଡ଼ିଶା ଲୋକସଭା ଆୟୋଗ ଦ୍ୱାରା ଅନୁଷ୍ଠିିତ ପରୀକ୍ଷାରେ ୧୦୨ ଜଣ ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି । ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ୧୦୨ ଜଣଙ୍କ ମଧ୍ୟରୁ ୪୨ ଜଣ ମହିଳା ଥିବା ବେଳେ ୪ ଜଣ ଭିନ୍ନକ୍ଷମ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ।