ଅମିତ ଶାହଙ୍କ ରୋଡ଼ ସୋ’ରେ ତୁମୁଳକାଣ୍ଡ ! ବିଜେପି ଓ ଟିମଏସି ସମର୍ଥକ ମୁହାଁମୁହିଁ, ନିଆଁ ଜଳିବା ସହ ହେଲା ଟେକାପଥର ମାଡ଼

201

କନକ ବ୍ୟୁରୋ : ଅମିତ ଶାହଙ୍କ ରାଲିରେ ନିଆଁ ଜଳିବା ସହ ହେଲା ଟେକାପଥର ମାଡ଼ । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲି ସମୟରେ ବିଜେପି ଓ ଟିମଏସି ମଧ୍ୟରେ ତୁମୁଳକାଣ୍ଡ । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଅମିତ ଶାହାଙ୍କ ରାଲି ଯାଉଥିଲା ସମୟରେ ବାମ ଦଳର ଛାତ୍ର ନେତା କଳା ପତାକା ଦେଖାଇଥିଲେ । ଆଉ ଏଥିପାଇଁ ଟିଏମସି ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ ।

ଉଭୟଙ୍କ ମଧ୍ୟରେ ଜୋରସୋରରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅମିତ ଶାହା ରୋଡ ସୋରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡିଥିଲା । ନିକଟରେ ଥିବା ଏକ ହଷ୍ଟେଲରୁ ଛାତ୍ରମାନେ ବାହାରିଆସି ଟେକା ମାଡ କରିଥିଲେ । ଏହି ସମୟରେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ମଧ୍ୟ ଭଙ୍ଗାରୁଜା ହୋଇଛି ।

ସୂଚନାଯୋଗ୍ୟ ଆଗାମୀ ୧୯ ମେରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ଆଉ ଏଥିପାଇଁ ଅମିତ ଶାହ ଆଜି ଦଳର ପ୍ରାର୍ଥୀଙ୍କ ପାଇଁ ରୋଡ଼ ସୋ କରିଥିଲେ । ରୋଡ଼ ସୋ ୪.୩୦ ରେ କୋଲକାତାର ଏସପ୍ଲାନେନ୍ ଅଂଚଳରେ ଆରମ୍ଭ ହୋଇଥିଲା । ଉତ୍ତର କଲିକତାର ବିବେକାନନ୍ଦ ଭବନର ଶେଷ ହୋଇଥିଲା ବିଜେପି ଅଧ୍ୟକ୍ଷଙ୍କ ରାଲି । ଶାହ ଉତ୍ତର କଲିକତାର ପ୍ରାର୍ଥୀ ରାହୁଲ ସିହ୍ନା ଓ ଦକ୍ଷିଣ କଲିକତାର ପ୍ରାର୍ଥୀ ଚନ୍ଦ୍ର କୁମାରଙ୍କ ସହ ଏକ ସୁସଜ୍ଜିତ ଟ୍ରକରେ ଶୋଭାଯାତ୍ରା କରିଥିଲେ ।