ସିଏଏକୁ ନେଇ ସଚେତନ ହେବେ ଜନତା : ଆଜିଠାରୁ ବିଜେପିର ଜନ ଜାଗରଣ ଯାତ୍ରା , ଅଭିଯାନର ନେତୃତ୍ୱ ନେବେ ଜେପି ନଡ୍ଡା

206

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ସମ୍ମନ୍ଧରେ ଜନତାଙ୍କୁ ସଚେତନ କରିବ ବିଜେପି । ଦେଶବ୍ୟାପୀ ୨୦ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇବ ବିଜେପି । ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ବିଭିନ୍ନ ରାଜ୍ୟ ସମେତ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କେରଳ ବିଧାନସଭା ସିଏଏ ବିରୋଧରେ ବିଲ ପାସ୍ କରିସାରିଛି । କିଛି ଅଣ ବିଜେପି ଶାସିତ ରାଜ୍ୟରେ ସିଏଏ ବିରୋଧରେ ଯୋଜନା ପ୍ରସ୍ତୁତ ହୋଇସାରିଛି। ବିରୋଧୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ୨୦୨୦ ଆରମ୍ଭରୁ ନାଗରିକତା ସଂଶୋଧନ ଆଇନକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି । ଏହି ଅଭିଯାନର ମଙ୍ଗ ଧରିଛନ୍ତି ବିଜେପିର କାର୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ।

ୟୁପି ସମେତ ଦେଶର ଅନେକ ଅଞ୍ଚଳରେ ସିଏଏ ବିରୋଧରେ ବିକ୍ଷୋଭ କରାଯାଉଛି । ଆଉ ଏଥିପାଇଁ ଆଜି ସନ୍ଧ୍ୟା ୬ଟାରେ ବିଜେପିର କାର୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗୁଜୁରାଟର ଭଦୋଦରାସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରୁ ଜନ ଜାଗରଣ ଅଭିଯାନ ଆରମ୍ଭ କରିବେ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିଜେପିର ମେଗା ଅଭିଯାନ ୨୦ ଦିନ ଯାଏଁ ଚାଲିବ । ବିଜେପିର କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ନାଗରିକତା ଆଇନ ଉପରେ ଲୋକଙ୍କୁ ବୁଝାଇବେ । ଦେଶବ୍ୟାପୀ ଏକ ହଜାର ରାଲିର ଆୟୋଜନ କରିବାର ଯୋଜନା ରହିଛି । ପ୍ରତି ଜିଲ୍ଲାରେ ରାଲି ଓ ବୁଦ୍ଧଜୀବୀ ସମ୍ମିଳନୀ ହେବ । ପଂଚାୟତ ଓ ୱାର୍ଡସ୍ତରରେ ବୈଠକ ହେବ । ବିଜେପିର ନେତାମାନେ ଆଇନ ସଂପର୍କରେ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ।