ନିର୍ବାଚନ ଲଢ଼ିବେନି କଟକ-ଚୌଦ୍ୱାର ବିଧାୟକ! ବିଜେଡ଼ି ସୁପ୍ରିମୋଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ ବିଶ୍ୱାଳ

206

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଲଢ଼ିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ଚଳିତ ନିର୍ବାଚନ ନଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ । ନିର୍ବାଚନ ନଲଢ଼ିବା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ସିବିଆଇ ମୋତେ ଚିଟଫଣ୍ଡ କେସରେ ଫସାଇବା ପାଇଁ ଚେଷ୍ଟା କରିଥିଲା । ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ କପୋଳକଳ୍ପିତ ଓ ଭିତ୍ତିହୀନ । ମୋତେ ଓ ମୋ ଦଳକୁ ନିନ୍ଦିତ କରିବା ପାଇଁ ସିବଆଇକୁ ବ୍ୟବହାର କରାଯାଇଥିଲା । କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ଆସ୍ଥା ଅଛି । ମାମଲାର ଚୂଡ଼ାନ୍ତ ଶୁଣାଣି ପର୍ଯ୍ୟନ୍ତ ନିର୍ବାଚନ ଠାରୁ ଦୂରେଇ ରହିବେ ଏବଂ ସର୍ବଦା ଦଳ ସହ ରହିବେ । ଦଳ ଯାହା ଦାୟିତ୍ୱ ଦେବେ ଗ୍ରହଣ କରିବା ସହ ସୂଚାରେ ରୂପେ କାମ କରିବି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ ।

ସୂଚନାଯୋଗ୍ୟ ସିସୋର ଚିଟଫଣ୍ଡ ମାମଲାରେ ଛନ୍ଦିହୋଇ ପ୍ରଭାତ ବିଶ୍ୱାଳଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ସେ ଜାମିନରେ ଆସିଥିଲେ । ଚଳିତ ନିର୍ବାଚନ ବିଜେଡ଼ି ସୁପ୍ରିମୋଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଚିଟଫଣ୍ଡ ମାମଲା ଯୋଗୁଁ ଦଳ କୌଣସି ମତେ ପ୍ରଭାବିତ ନହେଉ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଛନ୍ତି ପ୍ରଭାତ । ଏହି ଆସନରେ ବିଜେଡ଼ିର ଦବଦବା ରହିଛି । ତେବେ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ତାଙ୍କ ପୁଅ ନିର୍ବାଚନ ଲଢ଼ିପାରନ୍ତି ବୋଲି କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଚଳିତ ନିର୍ବାଚନରୁ ଦୂରେଇ ରହିବେ ପ୍ରଭାତ ବିଶ୍ୱାଳ । ହେଲେ ରାଜନୀତିରୁ ସନ୍ୟାସ ନେଉନାହାନ୍ତି ପ୍ରଭାତ ।