ଚିତ୍ରକୋଣ୍ଡାରେ ରୋଷେଇଘରୁ ମୃତଦେହ ମିଳିବା ଘଟଣାକୁ ନେଇ ପୋଲିସ-ଜନତା ମୁହାଁମୁହିଁ : ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ,  ଭାଙ୍ଗିଲେ ଗାଡି,ବର୍ତ୍ତିଲେନି ବିଏସଏଫ କର୍ମଚାରୀ

392

କନକ ବ୍ୟୁରୋ : ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ  ।  ପୋଲିସକୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।  ଏଭଳି ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଂଚଳରେ ।  ଦୁଇଦିନ ତଳେ  ସ୍ୱାଭିମାନ ଅଂଚଳର ପାପରମେଟାଲ ପଂଚାୟତ ଯନ୍ତାବାଇ ଗାଁ ମୁଣ୍ଡରେ ଥିବା  ଅଙ୍ଗନବାଡି କେନ୍ଦ୍ରର ରୋଷେଇ ଘରୁ ମୃତଦେହ ମିଳିଥିଲା ।  ମୃତକ ଜଣକ  ଧୁଳିପୁଟ ପଂଚାୟତର ରାଙ୍ଗନିଗୁଡା ଗାଁର ରାଜୁ ହାନ୍ତାଳ ବୋଲି ଜଣାପଡିଥିଲା  । ଏହାକୁ ନେଇ ତାତିଥିଲେ ଲୋକେ ।   

ସେମାନେ ଅଭିଯୋଗ କରିଥିଲେ ବିଏସଏଫ ଯବାନ ରାଜୁଙ୍କୁ  ଡାକି ନେଇଥିଲେ । ଗତକାଲି  ବ୍ୟବଚ୍ଛେଦ ପରେ ମୃତକଙ୍କୁ ଶବ ହସ୍ତାନ୍ତର ପାଇଁ ଯାଇଥିଲାବେଳେ ପୋଲିସ, ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।  ଗାଁ ଲୋକେ ପୁଲିସକୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଢେଲାପଥର ମାଡ କରିଥିଲେ । କିଛି ବିଏସଫ ଯବାନ ମଧ୍ୟ ଏଥିରୁ ବର୍ତି ନଥିଲେ । ଏଥିରେ ୪ ଜଣ ଯବାନ  ଆହତ ହୋଇଛନ୍ତି ।  ଲୋକେ  ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଶେଷରେ ମୃତକଙ୍କ ଶବକୁ ଗ୍ରହଣ କରିଛନ୍ତି ଗାଁ ଲୋକେ ।