ବିଳମ୍ବରେ ଟଙ୍କା ଫେରସ୍ତ ପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ! ଛୁଟିରେ ରାଜସ୍ୱ ଅମଲା

44

କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ । ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତିନି ଦିନ ହେଲା କାମ ଛାଡି ଆନ୍ଦୋଳନରେ ବସିଛନ୍ତି ରାଜସ୍ୱ ଅଧିକାରୀ ଓ କର୍ମଚାରୀ । ଫଳରେ ଠପ୍ ହୋଇଯାଇଛି ସମସ୍ତ ସରକାରୀ କାମ ।

ତିନି ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ରାଜସ୍ୱ ଅମଲା । ସାମୁହିକ ଛୁଟିରେ ଅଛନ୍ତି ଅଧିକାରୀ । ସ୍ଥାୟୀ ନିଯୁକ୍ତି, ବେତନ ବୃଦ୍ଧି ଓ ସ୍ୱତନ୍ତ୍ର ଶ୍ରେଣୀ ପ୍ରଦାନ ଦାବିରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଫଳରେ ଠପ୍ ହୋଇଯାଇଛି ଅଫିସ କାମ । ଅଧିକାଂଶ ସ୍ଥାନରେ ତାଲା ପଡିଲାଣି । ଏଭଳି ସ୍ଥିତିରେ ଅଫିସ ଆସି ଖାଲି ହାତରେ ଫେରୁଛନ୍ତି ଜମାକାରୀ । ଆଶଙ୍କା କରିଛନ୍ତି ନିଜ ଜମା ଟଙ୍କା ପାଇବାରେ ଆହୁରି ବିଳମ୍ବ ହୋଇପାରେ ।

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଚିଟଫଣ୍ଡ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ଆଧାରରେ ଜମାକାରୀ ଚିହ୍ନଟ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଉ ଅର୍ଥ ବିଭାଗର ନିର୍ଦ୍ଦେଶ ପରେ ପ୍ରକାଶ ପାଇଛି ତତ୍ପରତା । କ୍ଷୁଦ୍ର ଜମାକାରୀଙ୍କ କାଗଜପତ୍ର ଯାଂଚ କରି ରିପୋର୍ଟ ଦେବା ପରେ ଆରମ୍ଭ ହେବ ଟଙ୍କା ଫେରସ୍ତ । ତେବେ ରାଜସ୍ୱ କର୍ମଚାରୀଙ୍କ ଆନ୍ଦୋଳନ ସେଥିରେ ବାଧା ସୃଷ୍ଟି କରିଛି । କେତେଶୀଘ୍ର କର୍ମଚାରୀ ଆନ୍ଦୋଳନରୁ ଓହରି କାମରେ ଯୋଗଦେବେ ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କାମ ଆରମ୍ଭ ହେବ ଏବେ ତାକୁ ହିଁ ଅପେକ୍ଷା ।