ଏଣିକି ଚିଟଫଣ୍ଡ ସଂସ୍ଥାରେ କରିହେବନି ଟଙ୍କା ଜମା : ଆଇନରେ ଲାଗିଲା ଅଙ୍କୁଶ

141

କନକ ବ୍ୟୁରୋ : ଏଣିକି ମଲଟି ଷ୍ଟେଟ୍ କୋପରେଟିଭ୍ ସୋସାଇଟି ବା ଚିଟଫଣ୍ଡ୍ ସଂସ୍ଥାରେ ଯେକେହି ଟଙ୍କା ଜମା ରଖିପାରିବେ ନାହିଁ । ସୋସାଇଟିରେ କେବଳ ଭୋଟଦେବା ପାଇଁ କ୍ଷମତା ପାଇଥିବା ସଦସ୍ୟ ହିଁ ଟଙ୍କା ଜମା ରଖିପାରିବେ । ସୋମବାର ଅନରେଗୁଲେଟେଡ୍ ଡିପୋଜିଟ୍ ସ୍କିମ୍ ବିଲ୍-୨୦୧୯ ସଂସଦରେ ଗୃହୀତ ହୋଇଥିବା ବେଳେ ଏଭଳି କିଛି ପରିବର୍ତ୍ତନ ଆଣାଯାଇଛି ଆଇନରେ । ଯାହାଦ୍ୱାରା ସିସୋର, ଅର୍ଥତତ୍ୱ ଭଳି ଚିଟଫଣ୍ଡ କମ୍ପାନୀରେ ସାଧାରଣ ଲୋକଙ୍କୁ ପ୍ରଲୋଭିତ କରି ଟଙ୍କା ରଖିବା ସମ୍ଭବ ହେବ ନାହିଁ ।

ଚିଟଫଣ୍ଡ୍ ଭଳି ଜମା ଓ ପରିବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଠକିବା ଏବେ ହୁଏତ ମହଙ୍ଗା ପଡ଼ିବ । ସୋମବାର ସଂସଦରେ ପାରିତ ନୂଆ ଅନରେଗୁଲେଟେଡ୍ ଡିପୋଜିଟ୍ ସ୍କିମ୍ ବିଲ୍-୨୦୧୯ରେ ମଲଟି ଷ୍ଟେଟ୍ କୋପରେଟିଭ୍ ସୋସାଇଟିର ଟଙ୍କା ଜମା ସଂଗ୍ରହ ଉପରେ ବି ଲଗାମ ଲାଗିଛି । ଏଣିକି ସୋସାଇଟିରେ କେବଳ ଭୋଟ ଦେବା ପାଇଁ କ୍ଷମତା ପାଇଥିବା ସଦସ୍ୟ ହିଁ ଟଙ୍କା ଜମା ରଖିପାରିବେ ।


ସଂଶୋଧିତ ଆଇନରେ ଠକ କମ୍ପାନୀ ବା ବ୍ୟକ୍ତିଙ୍କୁ ବର୍ଷେରୁ ଆରମ୍ଭ କରି ଦର୍ଶ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ଏଥିସହ ସେମାନଙ୍କ ଉପରେ ୨ ଲକ୍ଷରୁ ଆରମ୍ଭ କରି ୫୦ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଅନରେଗୁଲେଟେଡ୍ ଡିପୋଜିଟ୍ ସ୍କିମ୍ ବିଲ୍-୨୦୧୯ରେ କ’ଣ ରହିଛି ବ୍ୟବସ୍ଥା?

୧- ଅଣନିୟନ୍ତ୍ରିତ ଜମା ଯୋଜନା ନିଷିଦ୍ଧ କରାଗଲା

୨- ଅଣନିୟନ୍ତ୍ରିତ ଜମା ପାଇଁ ବିଜ୍ଞାପନ କରିହେବ ନାହିଁ

୩- ସଚିବ ପାହ୍ୟାର ଅଧିକାରୀ ହେବେ ପ୍ରାଧିକୃତ ଅଧିକାରୀ ବା କମ୍ପିଟେଣ୍ଟ ଅଥରିଟି

୪- ପ୍ରାଧିକୃତ ଅଧିକାରୀ ଯେକୌଣସି ବ୍ୟକ୍ତିଙ୍କୁ ସମନ କରିପାରିବେ

୫- ତଦନ୍ତ ପରେ ଅଧିକୃତ କୋର୍ଟ ମାମଲାର ବିଚାର ୬ ମାସରେ ସାରିବେ

୬- ଜମା ସଂଗ୍ରହକାରୀ ସଂସ୍ଥାଗୁଡ଼ିକର ଅନଲାଇନ ସେଣ୍ଟ୍ରାଲ ଡାଟା ବେସ୍ ତିଆରି ହେବ

୭- ଆରବିଆଇ, ସେବି ଭଳି ୯ଟି ରେଗୁଲେଟର ବା ନିୟନ୍ତ୍ରକଙ୍କ ନିୟନ୍ତ୍ରଣ ଭିତରେ ହେଉ ବା ବାହାରେ ହେଉ ଯେଉଁ ସଂସ୍ଥା ନିୟମିତ ଜମା ସଂଗ୍ରହ କରି ଲୋକଙ୍କୁ ଠଳିବେ ସେମାନଙ୍କୁ ଦଣ୍ଡିତ କରାଯିବ

୮- ଚିଟଫଣ୍ଡ୍ କମ୍ପାନୀର ବିଜ୍ଞାପନ ଛାପୁଥିବା ସଂସ୍ଥାଙ୍କୁ କ୍ଷତିପୂରଣ ପାଇଁ ସମାନ ଆକାରରେ ସେହି ସ୍ଥାନରେ ଠିକ୍ ବିଜ୍ଞାପନ ଛପେଇବାକୁ ପଡ଼ିବ