କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନ୍ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଚୀନ୍ର ଲ୍ୟାଣ୍ଡିଙ୍ଗ୍ ପ୍ଲାଟଫର୍ମ ଡକ୍ (ଏଲ୍ପିଡି) ଜିଆନ୍-୩୨ ସମେତ ଚୀନ୍ ନୌସେନାର ସମୁଦାୟ ୭ଟି ଯୁଦ୍ଧଜାହାଜକୁ ଭାରତ ମହାସାଗରରେ ଚିହ୍ନଟ କରାଯାଇଛି। ଭାରତୀୟ ନୌସେନା ଦ୍ବାରା ବ୍ୟବହାର ହେଉଥିବା ଆମେରିକୀୟ ଗୁଇନ୍ଦା ବିମାନ ପି-୮ଆଇ ଦ୍ବାରା ଚୀନ୍ ଯୁଦ୍ଧ ଜାହାଜ ଗୁଡ଼ିକୁ ଚିହ୍ନଟ କରାଯାଇଛି। ଚୀନ୍ର ଏଲ୍ପିଡି ବାଦ୍ ଅନ୍ୟ ଯୁଦ୍ଧ ଜାହାଜ ତଥା ୩ଟି କାଉଣ୍ଟର-ପାଇରେସି ଏସକର୍ଟ ଟାସ୍କ ଫୋର୍ସ ୩୨ ଏବଂ ୩ଟି କାଉଣ୍ଟର ପାଇରେସି ଏସକର୍ଟ ଟାସ୍କ ଫୋର୍ସ ୩୩ ମଧ୍ୟ ମୁତୟନ ହୋଇଛି। ଭାରତ ମହାସାଗରରେ ଏହି ଯୁଦ୍ଧ ଜାହାଜମାନଙ୍କର ମୁତୟନ ସମୟରେ ଏଗୁଡ଼ିକୁ ଭଲଭାବେ ଯାଞ୍ଚ୍ କରାଯାଇଥିବା ଜଣାପଡ଼ିଛି। ଚୀନ୍ ଭାରତ ମହାସାଗରରେ ନିଜର ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟରେ ଯୁଦ୍ଧ ଜାହାଜ ମୁତୟନ କରୁଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ ନିକଟରେ ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଥିଲା ଯେ ଚୀନ୍ ଲଗାତାର ନିଜର ଗୁଇନ୍ଦା ଜାହାଜ ଗୁଡ଼ିକୁ ଭାରତ ମହାସାଗରରେ ମୁତୟନ କରୁଛି । ଭାରତୀୟ ନୌସେନା ପ୍ରତିଷ୍ଠାନ ବାବଦରେ ଏବଂ ଭାରତୀୟ ମହାସାଗରରେ ମୁତୟନ ହୋଇଥିବା ଯୁଦ୍ଧ ଜାହାଜ ବିଷୟରେ ବିସ୍ତୃତ ଭାବେ ଅବଗତ ହେବାପାଇଁ ଚୀନ୍ ପ୍ରୟାସ ଜାରି ରଖିଛି। ଏହି ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ ଚୀନ୍ ନୌସେନା ଦ୍ବାରା ନିକଟରେ ଏହାର ଏକ ସଦ୍ୟତମ ଗୁଇନ୍ଦା ଜାହାଜ ମୁତୟନ କରାଯାଇଥିଲା । ଚୀନ୍ ଗୁଇନ୍ଦା ଜାହାଜ ଭାରତର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଇଇଜି) ତଥା ସ୍ବତନ୍ତ୍ର ଆର୍ଥିକ କ୍ଷେତ୍ରରେ କିଛି ଦିନ ରହିଥିଲା।
ଆଣ୍ଡାମାନ୍ ଏବଂ ନିକୋବର ଆଇଲାଣ୍ଡ୍ ନିକଟସ୍ଥ ପୂର୍ବ ସାଗର ସୀମାରେ ଏକ ଚୀନ୍ ଗୁଇନ୍ଦା ଜାହାଜ ଚିହ୍ନଟ କରାଯାଇଥିଲା। ସେହିପରି ପିପୁଲ୍ସ ଲିବରେସନ୍ ଆର୍ମି ନାଭି (ପ୍ଲାନ୍)ର ଜାହାଜ ତିଆନ୍ୱାଙ୍ଗଜିଙ୍ଗ୍ ମଧ୍ୟ ଇଇଜିକୁ ଅନୁପ୍ରବେଶ କରିଥିଲା ଏବଂ ଏହା ଭାରତର ପୂର୍ବ ଉପକୂଳ ଏବଂ ଆଣ୍ଡାମାନ୍ ନିକୋବର ଆଇଲାଣ୍ଡ୍ ନିକଟରେ ପ୍ରାୟ ୨ ସପ୍ତାହ ରହିଥିବା ଜଣାପଡ଼ିଛି। ତିଆନ୍ୱାଙ୍ଗଜିଙ୍ଗ୍ ହେଉଛି ଚୀନ୍ର ଏକ ଅତ୍ୟାଧୁନିକ ଗୁଇନ୍ଦା ଜାହାଜ। ତେବେ ଭାରତ ମହାସାଗରରେ ଚୀନ୍ ଯୁଦ୍ଧ ଜାହାଜର ଉପସ୍ଥିତି ଏବେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ପାଇଁ ଚିନ୍ତାର କାରଣ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/2-2.png)