କନକ ବ୍ୟୁରୋ : ଗଲୱାନ ଘାଟିରେ ବଙ୍କର ତିଆରି କରୁଛି ଚୀନ । ସବୁ କିଛି ଚାଲିଛି ଅତି ଚୁପଚାପ୍ । ସାଟେଲାଇଟ୍ ଚିତ୍ରରୁ ଧରାପଡିଛି ଚୀନର ଏପରି ଚାଲାକି । ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବେଳେ ସୀମାରେ ଲଗାତାର ସମରସଜ୍ଜା ଚଳାଇଛି ଚୀନ । ସୀମାରେ ପୂର୍ବସ୍ଥିତି ଫେରାଇ ଆଣିବାକୁ କୁଟନୈତିକ ଓ ସାମରିକ ଅଧିକାରୀଙ୍କ ମଧ୍ୟରେ ବୈଠକ ପରେ ବୈଠକ ହେଉଛି । ଭାରତ ସହ ସୀମା ଶାନ୍ତି ପାଇଁ ବୈଠକରେ ବସୁଥିବା ଚୀନର କିନ୍ତୁ ଉଦ୍ଦେଶ୍ୟ ଅଲଗା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଉପଗ୍ରହ ଜରିଆରେ ଆସିଥିବା ଫଟୋ ହି ଚୀନର ଏହି ସମରସଜ୍ଜାର ଗୁମର ଖୋଲି ଦେଇଛି । ପୂର୍ବ ଲଦାଖ ସେକ୍ଟର ସୀମାରେ ଚୀନ ସେନା ନିଜ ସାମରିକ ଶକ୍ତି ବଢାଇବାରେ ଲାଗିଛି । ସେଠାରେ ଅଧିକ ପିଏଲଜିଏ ସୈନ୍ୟ ମୁତୟନ ସହ ସାମରିକ ନିର୍ମାଣ କାମ ମଧ୍ୟ କରୁଛି ଚୀନ । ପୂର୍ବ ଲଦାଖ ସେକ୍ଟର ସୀମାରେ ଜିନପିଙ୍ଗ ସରକାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ୧୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିଛନ୍ତି ।
ସାଟେଲାଇଟ ଉଠାଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି । ସୀମାରୁ ସୈନ୍ୟ ପଛକୁ ହଟାଇବା ପାଇଁ ଦୁଇ ଦେଶର ସହମତି ହେବାର ଦିନକ ପରେ ଆସିଥିବା ଏହି ସାଟେଲାଇଟ ଫଟୋ ଭାରତର ଚିନ୍ତା ବଢାଇ ଦେଇଛି । ସେହିପରି ବିବାଦୀୟ କ୍ଷେତ୍ରରେ ଚୀନ ସୈନ୍ୟଙ୍କ ଭାରି ଗାଡି ଚଳାଚଳ ସ୍ପଷ୍ଟ ସଙ୍କେତ ଦେଉଛି, ବିବାଦୀୟ ଅଂଚଳରୁ ସେମାନେ ପଛକୁ ହଟିବେ ନାହିଁ । ଏଲଏସି ନିକଟ ଗଲୱାନ ଭାଲିର ପାଟ୍ରୋଲ ପଏଂଟ ୧୪ରେ ଚୀନ ସେନାର ଗତିବିଧି ବଢିଛି । ଯେଉଁଠି ଜୁନ ୧୫ରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ।
ସୋମବାର ଚୁସୁଲ ନିକଟ ମୋଲଡୋରେ ଭାରତ ଓ ଚୀନ ମଧ୍ୟରେ ଲେଫ୍ଟେନାଂଟ ଜେନେରାଲ ସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ବିବାଦୀୟ ଅଂଚଳରୁ ସେନା ପଛକୁ ଫେରାଇ ନେବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ସେହିପରି ଦୁଇ ଦେଶର ବିଦେଶ ମନ୍ତ୍ରୀ ମଧ୍ୟ ସୀମା ଉତେଜନାକୁ ନେଇ ଫୋନରେ କଥାବର୍ତ୍ତା କରିଛନ୍ତି । ଆଲୋଚନାରେ ସହମତି ପ୍ରକାଶ କରିଥିବା ଚୀନ କିନ୍ତୁ ଭିତରେ ଭିତରେ ଗଲଓକ୍ୱାନି ଭାଲିକୁ କବଜା କରିବା ପାଇଁ ସାମରିକ ରଣନୀତି ପ୍ରସୁତ କରିଥିବା ସାଟେଲାଇଟ ଚିତ୍ର ସ୍ପଷ୍ଟ କରିଛି ।