କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ ବଦଳି ଯାଇଛି ଭାରତ-ଚୀନ ସଂପର୍କର ରଙ୍ଗ । ୪ ରାଉଣ୍ଡ ଅନୌପଚାରିକ ସମ୍ମିଳନୀରେ ଚୀନ ଓ ଭାରତ ବହୁ ପ୍ରସଙ୍ଗରେ ଏକମତ ହୋଇଛନ୍ତି । ଦୁଇ ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ଶିଖର ବୈଠକ ହୋଇଛି । ଭାରତ-ଚୀନ୍ ମିଳିତ ଭାବେ ଆର୍ଥିକ ପ୍ରକଳ୍ପ ଉପରେ କାମ କରିବେ । ଆଫଗାନିସ୍ତାନରେ ଉଭୟ ଦେଶ ମିଳିତ ଭାବେ ବିଭିନ୍ନ ପ୍ରକଳ୍ପ ଉପରେ କାମ କରିବା ନେଇ ସହମତି ପ୍ରକାଶ କରିଛନ୍ତି । ଏହି ନିଷ୍ପତି ପରେ ଚୀନକୁ ବନ୍ଧୁ ଭାବୁଥିବା ପାକିସ୍ତାନକୁ ଲାଗିିଛି ବଡ ଝଟକା । ସେପଟେ ଭାରତ-ଚୀନ ସୀମାରେ ଯେଭଳି ଡୋକଲାମ ଭଳି ପରିସ୍ଥିତି ନଉପୁଜେ ସେଥିଲାଗି ଦୁଇ ଦେଶର ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚୀନ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୪ ଘଂଟାର ରହଣୀ ଦୁଇଦେଶ ମଧ୍ୟରେ ସଂପର୍କକୁ ଆଉଏକ ସ୍ତରକୁ ନେଇଯାଇଛି । ଯେତେବେଳେ ବିଶ୍ୱ ଅର୍ଥନୀତିର ଦୁଇ ପ୍ରଭାବଶାଳୀ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଚର୍ଚ୍ଚା କରି ଗୋଟିଏ ବିନ୍ଦୁରେ ସହମତ ହୋଇଛନ୍ତି । ଆଶା କରାଯାଉଥିଲା ମୋଦିଙ୍କ ଏହି ବନ୍ଧୁତ୍ୱପୂର୍ଣ୍ଣ ଚୀନ ଗସ୍ତ ପରେ ବୋଧହୁଏ ଆଉ ଡୋକଲାମ ପରି ବିବାଦର ପୁନରାବୃତ୍ତି ହେବ ନାହିଁ । ଆଉ ସେହି ଦିଗରେ ନିଷ୍ପତି ନେଇଛନ୍ତି ମୋଦି ଓ ଜିନପିଙ୍ଗ । ଭାରତ-ଚୀନ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇଦେଶର ସେନାକୁ ରଣନୈତିକ ଦିଶା ନିର୍ଦ୍ଦେଶ କରାଯିବ । ଗୋଟିଏ ପଟେ ଭାରତ-ଚୀନ ସୀମାରେ ଶାନ୍ତି ପାଇଁ ସମ୍ମତି ଜଣାଇ ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦି ଓ ଜିନପିଙ୍ଗ । ସେପଟେ ବିଶ୍ୱ ଶାନ୍ତି ପାଇଁ ଚୀନର ଆଫଗାନିସ୍ତାନ ଆଭିମୁଖ୍ୟରେ ଆସିଛି ପରିବର୍ତନ ।
ତାଲିବାନ, ଚୀନର ପୃଷ୍ଠପୋଷକତାରେ ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି କରୁଥିବା ଚର୍ଚ୍ଚା ଭିତରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । କାରଣ ଆଫଗାନିସ୍ତାନରେ ଯୁଗ୍ମ ଅର୍ଥନୈତିକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକମତ ହୋଇଛନ୍ତି ଭାରତ ଓ ଚୀନ । ବିବାଦୀୟ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରକୁ ଆଫଗାନ ଯାଏଁ ସଂପ୍ରସାରଣ ସହ ପୁଣି ଭାରତ ସହାୟତାରେ ଆଉଏକ ଅର୍ଥନୈତିକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିନପିଙ୍ଗ ।
ଚୀନର ଉହାନ ସହର ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ୪ ରାଉଣ୍ଡ କଥାବାର୍ତ୍ତା ହୋଇଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମ୍ମତି ପ୍ରକାଶ ପାଇଛି ।
– ଦୁଇ ଦେଶର ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ସହମତି
– ଧାର୍ମିକ, ବୈଷୟିକ ଜ୍ଞାନକୌଶଳ, ବ୍ୟାପାର ଓ ମନୋରଞ୍ଜନ ଆଦାନ ପ୍ରଦାନ
– ଭାରତୀୟ ଫିଲ୍ମ ଚୀନରେ ଓ ଚୀନ ଫିଲ୍ମ ଭାରତରେ ପ୍ରଦର୍ଶନ ପାଇଁ ସମ୍ମତି
– କୃଷି ଓ ପର୍ଯ୍ୟଟନର ବିକାଶ ପାଇଁ ପରସ୍ପରକୁ ସହାୟତା ଯୋଗାଇଦେବେ
– ଗ୍ଲୋବାଲ ହେଲଥ କେୟାର ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା