ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ । ଜଳକୁ ଅସ୍ତ୍ର କରି ହଇରାଣ କରିବାକୁ ଚେଷ୍ଟା । ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ

747

ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି । କେବଳ ଏତିକି ନୁହେଁ, ଏହି ନଦୀର ପାଣିକୁ ଅନ୍ୟ ଆଡ଼କୁ ମୋଡ଼ିବାକୁ ଚେଷ୍ଟା କରୁଛି । ଏପରି ହେଲେ ଆଗକୁ ଭାରତର ଜଳ ସମସ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ଭାରତର ଏକ ପ୍ରମୁଖ ନଦୀ ହେଉଛି ବ୍ରହ୍ମପୁତ୍ର ନଦୀ । ଏହା କେବଳ ଭାରତ ନୁହେଁ, ବାଂଲାଦେଶ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜଳଉତ୍ସ । କିନ୍ତୁ ଚୀନ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଏକାଧିକ ବୃହତ ନଦୀ ବନ୍ଧ ନିର୍ମାଣ କରି ପାଣିକୁ ଅଟକାଇ ରଖୁଛି । ପୁଣି ବେଳେ ବେଳେ ଆବଶ୍ୟକ ପୂର୍ବ ସୂଚନା ନ ଦେଇ ପାଣି ଛାଡ଼ିଦେଉଛି । ଏହା ଦ୍ୱାରା ଆସାମ ଓ ବାଂଲାଦେଶରେ ମରୁଡ଼ି ଓ ବନ୍ୟା ଦେଖାଦେଉଛି ।

୨୦୧୭ରେ ଭାରତ ସହ ଚୀନର ଡୋକଲାମ ବିବାଦ ପରେ ଚୀନ କୌଣସି ପୂର୍ବ ସୂଚନା ନ ଦେଇ ହଠାତ ବ୍ରହ୍ମପୁତ୍ର ନଦୀରେ ପାଣି ଛାଡ଼ିଦେବାରୁ ଆସାମରେ ବନ୍ୟା ଆସିଥିଲା ଓ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଆଉ କେତେକ ଡ୍ୟାମ ନିର୍ମାଣ କରି ପାଣିକୁ ପଶ୍ଚିମ ତିବ୍ଦତରେ ଥିବା ସିଜିଆନ ପ୍ରଦେଶଆଡ଼କୁ ମୋଡ଼ିବାକୁ ଯୋଜନା କରୁଛି । ଏପରି ହେଲେ ବ୍ରହ୍ମପୁତ୍ରରେ ପାଣି କମିଯିବ ଓ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଭୀଷଣ ଜଳ ସମସ୍ୟା ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।