ଆମେରିକାର ବିମାନକୁ ଚୀନର ଟାର୍ଗେଟ ! ଦକ୍ଷିଣ ଚୀନ୍ ସାଗରରେ ବଢୁଛି ଚୀନର ଦାଦାଗିରି, ଆମେରିକା କହିଲା ଭୋଗିବାକୁ ପଡିବ ପରିଣାମ

26

କନକ ବ୍ୟୁରୋ : ଆମେରିକାର ବିମାନକୁ ଚୀନର ଟାର୍ଗେଟ । ଏପରି ଅଭିଯୋଗ ଆଣିଛି ଆମେରିକା । ଏନେଇ ସିଧାସଳଖ ବେଜିଂରେ ଅଭିଯୋଗ ହେବା ପରେ ଏଡାକୁ ଖଣ୍ଡନ କରିଛି ଚୀନ୍ । ଜୀବୁତିଠାରେ ହାଇ ଗ୍ରେଡ ଲେଜର୍ସ ଦ୍ୱାରା ଆମେରିକାର ବିମାନକୁ ୧୦ଥର ଟାର୍ଗେଟ କରାଯାଇଥିବା ଆମେରିକା କହିଛି । ଏଥିରେ ୨ଜଣ ପାଇଲଟ ମଧ୍ୟ ଆହତ ହୋଇଥିବା ପାଟାଂଗନ କହିଛି । ତେବେ ଏହାର ତଦନ୍ତ କରାଯାଇଛି ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବେଜିଂ ସ୍ପଷ୍ଟୀକରଣ ରଖିଛି । ସେପଟେ ଦକ୍ଷିଣ ଚୀନ୍ ସାଗରରେ ଚୀନର ଦାଦାଗିରି ବଢିଚାଲିଛି । ବିବଦୀୟ କ୍ଷେତ୍ରରେ ଚୀନ୍ ମିଶାଇଲ ନିୟୋଜିତ କରିବା ପରେ ଏହାକୁ ନେଇ ଆମେରିକା କଡା ଚେତାବନୀ ଦେଇଛି । ଚୀନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲିୀ ଆମେରିକା କହିଛି ।

ବିବାଦୀୟ ଦକ୍ଷିଣ ଚୀନ ସାଗରରେ ସୈନ୍ୟ ଶକ୍ତି ବଢାଇବା ପରେ ଚୀନକୁ ଚେତାବନୀ ଦେଇଛି ଆମେରିକା । ଦକ୍ଷିଣ ଚୀନ ସାଗରରେ ଚୀନ ମିସାଇଲ ନିୟୋଜିତ କରିବା ନେଇ ଆମେରିକା ଅବଗତ ଅଛି ଏବଂ ଚୀନ ନେତାଙ୍କ ସହ ହ୍ୱାଇଟ ହାଉସ ଆଲୋଚନା କରିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଚୀନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ ସାରା ସାଣ୍ଡର୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ବିବାଦୀୟ ଦକ୍ଷିଣ ଚୀନ ସାଗରରେ କ୍ରୁଜ ମିସାଇଲ ଓ ଭୁପୃଷ୍ଟରୁ ଆକାଶମାର୍ଗକୁ ଉତକ୍ଷେପଣ କରୁଥିବା ମିସାଇଲ ନିୟୋଜିତ କରିଛି ଚୀନ । ଏହାସହ ଦକ୍ଷିଣ ଚୀନ ସାଗରରେ ନିର୍ବିବାଦ ସାର୍ବଭୌମତ୍ୟ ଅଧିକାର ଥିବା ଯୋଗୁୁଁ ଚୀନ୍ ସୈନ୍ୟ ଶକ୍ତି ବଢାଇଛି ବୋଲି ଯୁକ୍ତି ରଖିଛି ବେଜିଂ । ସେପଟେ ପାଂଟାଗନ୍ ମଧ୍ୟ ଦକ୍ଷିଣ ଚୀନ ସାଗରକୁ ନେଇ ଚିନ୍ତା ପ୍ରକଟ କରିଛି । ବିବାଦୀୟ କ୍ଷେତ୍ରରେ ଚୀନ୍ ନିଜର ଅଧିକାର ଜାହିର ନକରି ଏଠାରେ ଜାହାଜ ଓ ବିମାନ ପରିଚାଳନା କରି ଏଥିରୁ ଲାଭ ନେଉଛି ବୋଲି ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ପାଂଟାଗନ କହିଛି ।

ଦକ୍ଷିଣ ଓ ପୂର୍ବ ଚୀନ ସାଗରକୁ ନେଇ ଚୀନ୍ ସବୁବେଳେ ବିବାଦରେ ରହିଛି । ଏପ୍ରିଲ ମାସରେ ଏହି ବିବାଦୀୟ କ୍ଷେତ୍ରରେ ଚୀନ ସର୍ବବୃହତ ସାମରିକ ଶକ୍ତି ପ୍ରଦର୍ଶନ କରିଥିଲା । ଏହାସହ ପିପୁଲ୍ସ ଲିବରେସନ ଆର୍ମିର ଅତ୍ୟାଧୁନିକ ଅସ୍ତଶସ୍ତ୍ର ପ୍ରଦର୍ଶନ କରିଥିଲା । ସମଗ୍ର ଦକ୍ଷିଣ ଚୀନ ସାଗରରେ ଚୀନ୍ ନିଜର ଅଧିକାର ଜାହିର କରୁଥିବା ବେଳେ ଭିଏତନାମ, ଫିଲିପିନ୍ସ, ମଲେସିଆ, ବ୍ରୁନେଇ ଓ ତାଇୱାନ ମଧ୍ୟ ନିଜ ନିଜର ଅଧିକାର ଦାବି କରୁଛନ୍ତି ।