ଚୀନରେ ଭୟଙ୍କର ହେଉଛି କରୋନା ଆତଙ୍କ : ମୃତ୍ୟୁସଂଖ୍ୟା ୩୬୦ ଛୁଇଁଲା , ଲକ୍ଷାଧିକ ଆକ୍ରାନ୍ତ

427

କନକ ବ୍ୟୁରୋ : ଚୀନରେ ଭୟଙ୍କର ରୁପ ଧାରଣ କଲାଣି କରୋନା ଭାଇରସ । ଏହି ଭୟାବହ ଭୂତାଣୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୬୦ ଛୁଇଁଲା । କାଲି ଗୋଟିଏ ଦିନରେ ଗଲା ୫୬ ଜଣଙ୍କ ଜୀବନ । ପ୍ରାୟ ୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗ ଜନକ ରହିଛି । ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଛି । ବିଶ୍ୱବ୍ୟାପୀ ୧୮ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶ୍ବ ବ୍ୟାପୀ ୧୮ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଚୀନ୍ ବାହାରେ ମଧ୍ୟ କରୋନାଜନିତ ମୃତ୍ୟୁ ଆରମ୍ଭ ହୋଇଗଲାଣି।

ଗତ ୪୮ ଘଣ୍ଟା ମଧ୍ୟରେ ଆଉ ୩ ହଜାର ରୋଗୀ ଚୀନରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚୀନରେ ମୋଟ କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ରହିଥିବା ସୂଚନା ମିଳିଛି । ଚୀନ୍ରୁ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ନେଇ ମଧ୍ୟ ବଡ଼ ସମସ୍ୟା ଉପୁଜିଛି । ଶେଷକୃତ୍ୟକୁ ଯଥାସମ୍ଭବ ସଂକ୍ଷିପ୍ତ କରିବା ପାଇଁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି । ଏ ପର୍ୟ୍ୟନ୍ତ ୨୩ଟି ଦେଶରେ କରୋନା ଭାଇରସ୍ ପହଞ୍ଚିସାରିଛି ଏବଂ ଫିଲିପାଇନ୍ସରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ବିଭିନ୍ନ ରାଷ୍ଟ୍ର ଚୀନ୍ରୁ ସେମାନଙ୍କ ନାଗରିକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଉଛନ୍ତି। ଭାରତ ଆଜି ଚୀନ୍ ନାଗରିକଙ୍କ ପାଇଁ ଇ-ଭିସା ସୁବିଧାକୁ ବାତିଲ କରିଛି ।

ତେବେ କରୋନା ପ୍ରଭାବିତ ଚୀନରୁ ଭାରତୀୟଙ୍କୁ ଉଦ୍ଧାର ପରେ କିଛି ଏହିଭଳି ଚିତ୍ର ସାମ୍ନାକୁ ଆସିଛି । ଚୀନର ସର୍ବାଧିକ କରୋନା ଭୂତାଣୁ ପ୍ରଭାବିତ ଉହାନ ସହରରୁ ଏହି ଛାତ୍ରଛାତ୍ରୀ ମାନଙ୍କୁ ଏୟାରଲିଫ୍ଟ କରି ଅଣାଯାଇଛି । ଏମାନଙ୍କୁ ଭାରତୀୟ ସେନାର ସ୍ୱତନ୍ତ୍ର କ୍ୱାରେଂଟାଇନ ଫାସିଲିଟିରେ ରଖାଯାଇଛି । ହରିଆଣା ମାନେସରରେ ସେନାର ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଏମାନଙ୍କୁ ରଖାଯାଇଛି । ବିଶେଷଜ୍ଞ ଡାକ୍ତର ଓ ସ୍ୱତନ୍ତ୍ର ଚିକିତ୍ସା ଦଳର ନୀରିକ୍ଷଣରେ ରହିଥିବା ଏହି ଛାତ୍ରଛାତ୍ରୀମାନେ ଖୁସିରେ ନାଚ, ଗୀତ କରୁଥିବା ଦେଖିବାକୁ ମିଳିଛି । ଚୀନରୁ ଉଦ୍ଧାର ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କୁ ୫୦ ଜଣ କରି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ବାରାକରେ ରଖାଯାଇଛି । ପରସ୍ପର ସହ ମିଶିବାକୁ ଦିଆଯାଉ ନଥିବାବେଳେ ବାହାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରଖାଯାଇଛି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଦୁଇଟି ପର୍ଯ୍ୟାୟରେ ମୋଟ୍ ୬୫୪ ଜଣଙ୍କୁ ଚୀନରୁ ଭାରତ ଅଣାଯାଇଛି । ସେମାନଙ୍କ ଭିତରେ ୭ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି ।