ଭାରତ ପାଇଁ ଚିନ୍ତା ବଢ଼ାଇଲା ଚୀନ : ପୁଣି ପ୍ରଭାବ ବିସ୍ତାର ପାଇଁ ପ୍ରୟାସ, ସୀମାରେ ମୁତୟନ କଲା UAV ଡିଭାଇନ୍ ଇଗଲ୍ ଜେଟ୍ ଓ H-6K ବୋମାବର୍ଷୀ ବିମାନ

342

କନକ ବ୍ୟୁରୋ : ସୀମାରେ ସାମରିକ ଶକ୍ତିରେ ଅହେତୁକ ବୃଦ୍ଧି ଘଟାଇ ଏବେ ଚୀନ୍‌ ଭାରତ ପାଇଁ ଉଦବେଗର କାରଣ ପାଲଟିଛି । ୨୦୧୭ ମସିହ‌ାରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଡୋକଲାମ୍‌ ବିବାଦର ଦୀର୍ଘ ୭୩ ଦିନ ପରେ ସମାଧାନ ହୋଇଥିଲା । ଚୀନ୍‌ ଏବେ ବିଶ୍ବସ୍ତରରେ ସାମରିକ ଏବଂ ଆର୍ଥିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛି । ଭାରତ ଉପରେ ଚାପ ସୃଷ୍ଟି ପାଇଁ ଏବେ ଚୀନ୍‌ ପୁଣି ତା’ର ପୁରୁଣା ଚାଲ୍‌ ଖେଳିବା ଆରମ୍ଭ କରିଦେଇଛି । ବହୁ ବାଦ ବିବାଦ ପରେ ଡୋକଲାମ୍‌ ବିବାଦର ସମାଧାନ ହୋଇଥିଲେ ସୁଦ୍ଧା ଚୀନ୍‌ ଗୁପ୍ତଭାବେ ଭାରତ ସୀମା ନିକଟରେ ଏହାର ସାମରିକ ସ୍ଥିତିକୁ ସୁଦୃଢ଼ କରିଚାଲିଛି ।

ଚୀନ୍‌ ନିଜର ବାୟୁସେନାକୁ ସୁଦୃଢ଼ କରିବାପାଇଁ ଅନେକ ବଳିଷ୍ଠ ପଦ‌କ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି । ଚୀନ୍‌ର ଦୁଇଟି ବାୟୁସେନା ଘାଟିରେ ଦୁଇଟି ଶକ୍ତିଶାଳୀ ୟୁଏଭି ଡିଭାଇନ୍‌ ଇଗଲ୍‌ ଜେଟ୍‌  ଏବଂ ଏଚ୍‌-୬କେ ବୋମାବର୍ଷୀ ବିମାନ ମୁତୟନ ହୋଇଛି । ଚୀନ୍‌ର ପିଏଲଏଏଫ୍‌ (ପିପୁଲ୍‌ ଲିବରେସନ୍‌ ଆର୍ମି ଏୟାର ‌ଫୋର୍ସ‌୍) ଏହାର ମାଲନ୍‌ ‌ସେନାଘାଟିରୁ ଡିଭାଇନ୍‌ ଇଗଲ ‌ଜେଟ୍‌ ୟୁଏଭିର ପରିଚାଳନା କରୁଥିବାବେଳେ ହପିଙ୍ଗ୍‌ ବା‌ୟୁସେନାଘାଟିରୁ ଏହା ଏଚ୍‌-୬କେ ବୋମାବର୍ଷୀ ବିମାନକୁ ନିୟନ୍ତ୍ରଣ କରୁଛି ।

ଡିଭାଇନ୍‌ ଇଗଲ୍‌ ୟୁଏଭି ବିଶ୍ବର ସର୍ବବୃହତ୍‌ ମାନବରହିତ ଗୁଇନ୍ଦା ବିମାନ ଭାବେ ଜଣାଶୁଣା । ଡିଭାଇନ୍‌ ଇଗଲ ଜେଟ୍‌ ୟୁଏଭିର ଲମ୍ବ ୧୫ ମିଟର ଏବଂ ଏହାର ଚଉଡ଼ା ୩୫-୪୫ ମିଟର । ଚୀନ୍‌ ଦାବି କରୁଛି ଯେ ଏହି ୟୁଏଭିଗୁଡ଼ିକ ଆମେରିକାର ଏଫ୍‌-୨୨ ଏବଂ ଏଫ୍‌-୩୫ ଯୁଦ୍ଧ ବିମାନକୁ ଠାବ କରିପାରିବ । ଅନ୍ୟପକ୍ଷେ ଚୀନ୍‌ର ପିଏଲଏଏଫ୍‌ର ମହା ଶକ୍ତିଶାଳୀ ଏଚ୍‌-୬ ବୋମାବର୍ଷୀ ବିମାନର ସର୍ବଶେଷ ସଂସ୍କରଣ ହେଉଛି ଏଚ୍‌-୬କେ । ଏହା ଏକ ରଣନୀତିକ ବୋମାବର୍ଷୀ ବିମାନ ।

ସୂଚନାନୁଯାୟୀ ତିବ୍ବତର ହପିଙ୍ଗ୍‌ ଏୟାରଫିଲ୍ଡରେ ମୁତୟନ ହୋଇଥିବା ଏହି ଏଚ୍‌-୬କେ ବୋମାବର୍ଷୀ ବିମାନ ସିକ୍କିମ୍‌ ସ୍ଥିତ ଭାରତୀୟ ସୀମାଠାରୁ ମାତ୍ର ୨୦୦ କିମି ଦୂରରେ ଅବସ୍ଥିତ । ମାଲନ୍‌ ବାୟୁସେନା ଘାଟିରେ ମଧ୍ୟ ଚୀନ୍‌ ଦ୍ବାରା ମୁତୟନ ହୋଇଥିବା ଡିଭାଇନ୍‌ ଇଗଲ ଜେଟ୍‌ ୟୁଏଭି ଭାରତୀୟ ସୁରକ୍ଷାବାହିନୀର ଚିନ୍ତା ବଢ଼ାଇଛି । ମାଲନ୍‌ ଏୟାରଫିଲ୍ଡ ଜିନ୍‌ଜିଆଙ୍ଗ୍‌ର ସ୍ବୟଂଶାସିତ ଅଞ୍ଚଳରେ ଅବସ୍ଥିତ । ଭାରତ ଚୀନ୍‌ ସହ ଉତ୍ତମ ସମ୍ପର୍କ ଚାହୁଥିବା ବେଳେ ଚୀନ୍‌ ଗୁପ୍ତ ଭାବେ ଏଭଳି କାର୍ଯ୍ୟକଳାପ ଜାରି ରଖିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।

ଭାରତର ସୀମା ନିକଟସ୍ଥ ଅଞ୍ଚଳରେ ଚୀନ୍‌ ନିଜର ସାମରିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଥିବାରୁ ଭାରତ ମଧ୍ୟ ତା’ର ରଣନୀତି ବଦଳାଇବ ବୋଲି ଜଣାପଡ଼ିଛି । ବିଭିନ୍ନ ଗୁଇନ୍ଦା ସୂ୍ତ୍ରରୁ ଜଣାପଡ଼ିଛି ଯେ ପିଏଲଏ ହପିଙ୍ଗ୍‌ ଏୟାରଫିଲ୍ଡ ନିକ‌ଟରେ ସ୍ଥାୟୀ ହ୍ୟାଙ୍ଗର ନିର୍ମାଣ କରିବାକୁ ଚେଷ୍ଟା କରୁଛି । ସୀମା ଅଞ୍ଚଳରେ ଚୀନ୍‌ ଅନେକ ନୂଆ ସାମରିକ ଶିବିର ନିର୍ମାଣ କରୁଛି । ଅନ୍ୟପକ୍ଷେ ଅରୁଣାଚଳପ୍ରଦେଶ ଠାରୁ ମାତ୍ର ୯୦୦ କିମି ଦୂରରେ ଚୀନ୍‌ର ଯୁଜିରେ ଅତ୍ୟନ୍ତ ଗୋପନରେ କ୍ଷେପଣାସ୍ତ୍ର କମାଣ୍ଡ ସେଣ୍ଟର କାମ କରୁଛି ।