କନକ ବ୍ୟୁରୋ: କୋରୋନା ଭାଇରସ୍ ଚୀନ୍ରେ ୧୭ ଜଣଙ୍କ ଜୀବନ ନେଲାଣି ଏବଂ ୬୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୯୫ ଜଣ ଏହି ଭାଇରସ୍ ଯୋଗୁଁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ଚୀନ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଭାଇରସ୍ ବ୍ୟାପୁଥିବା ଯୋଗୁଁ ଚୀନ୍ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ଚୀନ୍ର ୩ଟି ସହର ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଉହାନ୍ , ହୁଆଗାଙ୍ଗ୍ ଏବଂ ଇଜୋଉ ସହରରେ ପରିବହନ ଏବଂ ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଛି। ଉହାନ୍ରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଉହାନ୍ରେ ଗତକାଲି ସକାଳୁ ସମସ୍ତ ଗମନାଗମନ ନେଟୱର୍କ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଲୋକଙ୍କୁ ସହର ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଉହାନ୍ଠାରୁ ୭୦ କିମି ଦୂର ହୁଆଗାଙ୍ଗ୍ରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି । ସମସ୍ତ ଯାନବାହନ ଯାଞ୍ଚ କରାଯାଉଛି ଏବଂ ବାର୍ ଓ ସିନେମା ହଲ୍ଗୁଡ଼ିକ ବନ୍ଦ ରହିଛି । ସେହିପରି ଅନ୍ୟ ଏକ ସହର ଇଜୋଉରେ ମଧ୍ୟ ବ୍ୟାପକ କଟକଣା ଲାଗୁ ହୋଇଛି। ଚୀନ୍ରେ ପ୍ରାୟ ୨୦ ନିୟୁତ ଲୋକଙ୍କୁ ଯାତାୟତ ପାଇଁ ବାରଣ କରାଯାଇଥିବା ଜଣାପଡ଼ିଛି । କୋରୋନା ଭାଇରସ୍ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଦ୍ବିତୀୟ ଦିନ ପାଇଁ ଜାରି ରହିଛି । କୋରୋନା ପାଇଁ ବିଶ୍ବରେ ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯିବ କି ନାହିଁ ସେ ନେଇ ମନ୍ଥନ ଜାରି ରହିଛି ।
ଜାପାନ, ଦକ୍ଷିଣ କୋରିଆ ଏବଂ ହଂକଂରେ ମଧ୍ୟ ଅଧିକ କୋରୋନା ଭାଇରସ ଆକ୍ରାନ୍ତଙ୍କୁ ଠାବ କରାଯିବା ପରେ କଟକଣା ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତରେ ପ୍ରାୟ ୧୦ ହଜାର ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଛି ଏବଂ ନାଗରିକଙ୍କ ପାଇଁ ଯାତ୍ରା ସଂପର୍କିତ ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚିନ୍ ବିମାନ ବନ୍ଦରରେ ଚୀନ୍ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି ।