କନକ ବ୍ୟୁରୋ : ଚୀନ ବନ୍ଧୁ ଦେଶ ପାକିସ୍ତାନ ପାଇଁ ତିଆରି କରୁଛି ଅତି ଉନ୍ନତ ମାନର ଯୁଦ୍ଧପୋତ । ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ । ପ୍ରମୁଖ ଦ୍ୱିପାକ୍ଷିକ ଅସ୍ତ୍ରଶସ୍ତ୍ର ରାଜିନାମାର ଅଂଶସ୍ୱରୂପ ଚୀନ୍ ପାକିସ୍ତାନ ପାଇଁ ଗୋଟିଏ ସର୍ବାଧୁନିକ ନୌବାହିନୀ ଯୁଦ୍ଧପୋତ ନିର୍ମାଣ କରୁଛି । ଅନ୍ୟାନ୍ୟ କାରଣ ମଧ୍ୟରେ ଭାରତ ମହାସାଗରରେ ‘ରଣନୀତି କ୍ଷମତା’ର ସନ୍ତୁଳନ ରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ।
ମଡର୍ଣ୍ଣ ଡିଟେକ୍ସନ୍ ଆଣ୍ଡ୍ ଉଇପନ୍ ସିଷ୍ଟମ୍ର ବ୍ୟବସ୍ଥା ଥିବା ଏହି ଯୁଦ୍ଧପୋତ ଜାହାଜ, ବୁଡ଼ାଜାହାଜ ଏବଂ ନୌବାହିନୀ ଆକ୍ରମଣକୁ ପ୍ରତିହତ କରି ପାରିବ ବୋଲି ଚୀନ୍ ଷ୍ଟେଟ୍ ସିପ୍ ବିଲ୍ଡିଙ୍ଗ୍ କର୍ପୋରେସନ୍ର (ସିଏସ୍ଏସ୍ସି) କଥାକୁ ଉଦ୍ଧାର କରି ଉକ୍ତ ଗଣମାଧ୍ୟମ କହିଛି । ଜାହାଜର ପ୍ରକାର କଥା ’ସିଏସ୍ଏସ୍ସି’ ନିର୍ଦ୍ଦିଷ୍ଟ କରି କହି ନ ଥିଲେ ବି ସଙ୍ଘାଇ ସ୍ଥିତ ହୁଡୋଙ୍ଗ୍-ଝୋଙ୍ଘୁଆ ସିପ୍ୟାର୍ଡରେ ତାହା ନିର୍ମାଣ ହେଉଛି ।
ରିପୋର୍ଟ ଅନୁସାରେ ଏହି ଯୁଦ୍ଧପୋତ ପାକିସ୍ତାନୀ ନୌସେନା ରୁ ସବୁଠାରୁ ବଡ଼ ଫ୍ଲାଟଫର୍ମ ହେବ । ଏହି ଯୁଦ୍ଧପୋତ ମିଳିବା ପରେ ପାକିସ୍ତାନର ନୌସେନାର ଶକ୍ତି ଦୁଇଗଣା ହୋଇଯିବ ବୋଲି ଆକଳନ କରାଯାଉଛି ।