ପ୍ରବଳ ପବନ ଯୋଗୁଁ  ଚିଲିକାରେ ସାମୟିକ ସମୟ ପାଇଁ ବନ୍ଦ ହେଲା ଭସାପୋଲ । ଯାତ୍ରୀସେବା ପ୍ରଭାବିତ । ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଯାତ୍ରୀ

321

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଚିଲିକାରେ ବନ୍ଦ ହେଲା ଭସାପୋଲ । ସାମୟିକ ଭାବେ ବନ୍ଦ ରହିଲା ଚିଲିକାର ଭସାପୋଲ । ସାତପଡାରେ ରହିଛି ଏହି ଭସାପୋଲ । ଏହା ବନ୍ଦ ହେବା ଫଳରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ପ୍ରବଳ ପବନ ଓ ବର୍ଷାକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି । ଏପଟେ ଭସାପୋଲ ବନ୍ଦ ହେବା ପରେ ବିପଦପୂର୍ଣ୍ଣ ଭାବେ ଲୋକେ ଯିବାଆସିବା କରୁଛନ୍ତି ।

ସେପଟେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ମଧ୍ୟ ସ୍ଥିତି ସଂଗୀନ ହୋଇଛି । ଜୁନ ୧୫ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏଁ ବସ୍ତାରେ ବର୍ଷାର ଦେଖା ନଥିଲା । ହେଲେ ଅଗଷ୍ଟ ୯ ତାରିଖରୁ  ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀ ଫୁଲି ଉଠିଛି । ଫଳରେ ବସ୍ତା ଅଂଚଳର ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଧାନ ବିଲ ପାଣିରେ ବୁଡି ରହିଛି । ପାଣିରେ ବୁଡି ରୁଆ ଧାନ ପଚି ସଢି ନଷ୍ଟ ହେବାର ଆଶଙ୍କା ରହିଛି । ତେବେ ଗତ ୩ ଦିନ ଧରି ଜଳକା ଦନୀ ବିପଦ ସଂକେତ ଉପରେ ବହୁଥିବା ବେଳେ ୫ଶହରୁ ଅଧିକ ହେକ୍ଟର ଧାନ ବିଲରେ ପାଣି ଜମି ରହିଛି । ସେପଟେ ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାର ଆସୁଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯାହାକୁ ଶୁଣି ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି ।

ଅନ୍ୟପଟେ ଅଗଷ୍ଟ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ପାଣି ଘେରରେ ରହିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି । ଗତ ୩ ଏବଂ ୧୮ ତାରିଖରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ବାମନାଳ ପଞ୍ଚାୟତ ଭୁତପଦା, ପିପଳିଆ, ପାତି ଗାଁ । ବର୍ଷା ପାଣି ଜମି ରହିବା ଫଳରେ ଗ୍ରାମର ପ୍ରାୟ ଦୁଇହଜାର ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଥିବାରୁ ଧାନ ଫସଲ ସଂପୁର୍ଣ୍ଣ ଉଜୁଡ଼ିଯାଇଛି । ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଛି । ଯାହା ଫଳରେ ବିନା ସରକାରୀ ସହାୟତାରେ କର୍ମକୁ ଆଦରି ପଡିରହିଛନ୍ତି ଗ୍ରାମବାସୀ । ସେପଟେ ଆସନ୍ତା ୨୩ ତାରିଖରେ ଏକ ଲଘୁଚାପ ଆସୁଥିବାରୁ ବନ୍ୟାକୁ ନେଇ ଶଙ୍କାରେ ରହିଛନ୍ତି ତଳିଆ ଅଞ୍ଚଳବାସୀ । ପ୍ରବଳ ବର୍ଷା ଯୋଗୁଁ କୁଶଭଦ୍ରା ନଦୀରେ ବନ୍ୟା ଆସିବା ଦ୍ୱାରା ସଂପୃ୍କ୍ତ ଅଞ୍ଚଳ ସହିତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି ।