କାହଁକି ଚିଲିକାରେ ଉଡ଼ିପାରିବନି ସିପ୍ଲେନ୍ ? ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
କନକ ବ୍ୟୁରୋ : ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କି ସି-ପ୍ଲେନ୍ ଉଡ଼ାଣ ହୋଇପାରିବନି ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଗତକାଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି । ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରକଳ୍ପ ବିପକ୍ଷରେ ମତ ଦେଇଛନ୍ତି । ଚିଲିକାରେ ସି-ପ୍ଲେନ୍ ଉଡ଼ାଣ କାହିଁକି ସମ୍ଭବ ନୁହେଁ, ଏହାଦ୍ୱାରା କ’ଣ କ’ଣ କୁପ୍ରଭାବ ପଡ଼ିବ ସେନେଇ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚିଲିକାରେ ଓ୍ଵାଟର ଏରୋଡ୍ରମ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ସିଡିଏର ନକରାତ୍ମକ ରିପୋର୍ଟ ଏହା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ ହେଲେ ଏହାର ଜୈବ ବିବିଧତା, ଚିଲିକାକୁ ପ୍ରତିବର୍ଷ ଆସୁଥିବା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାକୁ ଥିବାରୁ ଏଠାରେ ସି ପ୍ଲେନ୍ ଉଡ଼ାଣ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି ।
ସେହିପରି ଚିଲିକାରୁ ବାର୍ଷିକ ୧୪ହଜାର ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଥିବାବେଳେ ଏହା ଉପରେ ୨ଲକ୍ଷ ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି । ବିମାନର ଅବତରଣ ଏବଂ ଉଡ଼ାଣ ସମୟରେ ସୃଷ୍ଟି ହେବାକୁ ଥିବା କମ୍ପନ ଦ୍ୱାରା ମାଛମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ । ଏହାସହ ଚିଲିକାକୁ ୩୩୫ ପ୍ରଜାତିର ମାଛ, ୨୩୫ ପ୍ରଜାତିର ପକ୍ଷୀ, ୭୨୯ ପ୍ରଜାତିର ବୃକ୍ଷ ଓ ଗୁଳ୍ମ, ୩୦ ପ୍ରଜାତିର ସରୀସୃପ ରହୁଥିବାରୁ ଏହାର ଜୈବ ବିବିଧତା ଉପରେ ଘୋର୍ ପ୍ରଭାବ ପଡ଼ିବ । ବିମାନ ଉଡ଼ାଣ ଏବଂ ଶବ୍ଦ ଯୋଗୁଁ ବିଭିନ୍ନ ପ୍ରଜାତିର ମାଛ ଓ ପକ୍ଷୀ ପ୍ରଭାବିତ ହେବେ ।
ସିଡିଏ ଏହି ସବୁ କାରଣ ଦର୍ଶାଇଥିବାରୁ ଚିଲିକାରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବା ଏକପ୍ରକାରର ଅସମ୍ଭବ ବୋଲି କୁହାଯାଉଛି । ଅପରପକ୍ଷେ ବିଜେଡିର କେତେକ ବିଧାୟକ ଏହି ଯୋଜନାକୁ ଖୋଲାଖୋଲି ବିରୋଧ କରିଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୋଜନା ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି ।