କଟକ ଏସସିବିରୁ ଛୁଆ ଚୋରି ଅଭିଯୋଗ : ଟୀକାକରଣ ନାଁରେ ନବଜାତକକୁ ନେଇ ଫେରିଲେନି ମହିଳା

52

କନକ ବ୍ୟୁରୋ : ଓଡ଼ିଶାର ସବୁଠୁ ବଡ ମେଡିକାଲରୁ ପିଲା ଚୋରୀ ଅଭିଯୋଗ । ଆଶା କର୍ମୀ ବେଶରେ ଆସି ନବଜାତକ ଶିଶୁକୁ ଚୋରୀ କରିନେଲେ ମହିଳା । ଏପରି ଏକ ଘଟଣା ଘଟିଛି କଟକ ଏସସିବିରେ । ଟୀକାକରଣ କରାଇ ଦେବା ନାଁରେ ଶିଶୁକୁ ନେଇ ଆଉ ଫେରିଲେ ନାହିଁ ମହିଳା ଜଣକ । ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳିଯାଇଛି ।

ଏପରିକି ଟୀକାକରଣ ନାଁରେ ବାରମ୍ବାର ଏପରି ଘଟଣା ଘଟୁଥିବା ମାନିଛନ୍ତି ଖୋଦ୍ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଢେଙ୍କାନାଳ କଙ୍କଡାହାଡ ଅଂଚଳର ପ୍ରମୋଦ ପତିଙ୍କ ପତ୍ନୀ ମଙ୍ଗଳବାର ଦିନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ବୁଧବାର ଦିନ ଶିଶୁକୁ ଟୀକାକରଣ କରାଇ ଦେବା ନାଁରେ ଜଣେ ମହିଳା ନିଜକୁ ଆଶାକର୍ମୀର ପରିଚୟ ଦେଇ ନବଜାତକୁ ନେଇ ଆଉ ଫେରିନଥିଲେ ।

ଦୀର୍ଘ ସମୟ ବିତିବା ପରେ ମହିଳା ଜଣକ ନଫେରିବାରୁ କିଛି ଅଘଟଣ କଥା ଚିନ୍ତା କରି ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଶିଶୁ ଚୋରି ନେଇ ଅଭିଯୋଗ କରିଛନ୍ତି । ତେବେ କଟକ ଏସସିବିରେ ବାରମ୍ବାର ଏପରି ଶିଶୁ ଚୋରୀ ଘଟଣା ଘଟୁଥିବା ବେଳେ ଏଠାରେ ଏକ ବଡଧରଣର ରାକେଟ କାମ କରୁଥିବା ସନ୍ଦେହ ଦେଖାଦେଇଛି । ପୂର୍ବରୁ ମଧ୍ୟ ବାରମ୍ବାର ଏପରି ଘଟଣା ଘଟିଥିଲେ ମଧ୍ୟ ପୁଣି ଥରେ କିପରି ହସ୍ପିଟାଲ ଭିତରୁ ଛୁଆ ଚୋରୀ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।