୧୦୮ କର୍ମଚାରୀ ଭୁଲିଗଲେ ଦାୟିତ୍ୱ । ଛୁଆକୁ ବଞ୍ଚାଇବା ଲାଗି ମାର କରୁଣ ନିବେଦନ, କାକୁତିମିନତି ତରଳାଇ ପାରିଲାନି ଫାର୍ମାସିଷ୍ଟ ଓ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ମନ । ଢାବାରେ ଦୁଇଘଣ୍ଟା ଖାଇଲେ, ଆଖି ବୁଜିଲା ଶିଶୁ

707

କନକ ବ୍ୟୁରୋ : ୧୦୮ କର୍ମଚାରୀ ଭୁଲିଗଲେ ନିଜ ଦାୟିତ୍ୱ । ଛୁଆକୁ ବଞ୍ଚାଇବା ଲାଗି ମାର କରୁଣ ନିବେଦନ, କାକୁତିମିନତି ତରଳାଇ ପାରିଲାନି ଫାର୍ମାସିଷ୍ଟ ଓ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ମନ । ଗୁରୁତର ଅସୁସ୍ଥ ଶିଶୁଟିକୁ ଆମ୍ବୁଲାନ୍‌ସରେ ଛାଡ଼ି ଉଭୟ କର୍ମଚାରୀ ଢାବାରେ ଭୋଜନ ପାଇଁ ଅଟକିଲେ। ଢାବାରେ ଖାଇପିଇ ୨ ଘଣ୍ଟା ପରେ ବାହାରିବା ବେଳକୁ ଶିଶୁଟିର ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ବଯୋଡ଼ାରେ।

ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ବେହେରା ଓ ଗୀତା ବେହେରାଙ୍କ ଏକମାତ୍ର ପୁତ୍ର ଜିତ (୨) ଝାଡ଼ାଜ୍ବରରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାକୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଶିଶୁଟିକୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫଳରେ ଆଜି ଆମ୍ବୁଲାନ୍‌ସ (ଓଡି୦୨ବିଏଚ୍‌-୧୨୫୨)ରେ ଜିତକୁ ଧରି ମା ଗୀତା ଓ ମାଉସୀ ଜ୍ୟୋତ୍ସ୍ନା କଟକ ବାହାରିଥିଲେ। ଆମ୍ବୁଲାନ୍‌ସ ବାରିପଦାରୁ ବାହାରି ଜାତୀୟ ରାଜପଥରେ ପହ‌ଞ୍ଚିବା ପରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ ଢାବା ନିକଟରେ ଗାଡ଼ି ରଖି ଫାର୍ମାସିଷ୍ଟ ଓ ଡ୍ରାଇଭର ଖାଇବାକୁ ଗଲେ। ସେତେବେଳେ ଶିଶୁଟିକୁ ସାଲାଇନ୍ ଦେବା ପାଇଁ ଗୀତା ବାରମ୍ବାର ନେହୁରା ହୋଇଥିଲେ ବି ଫାର୍ମାସିଷ୍ଟ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ। କାନମୁଣ୍ତ ଆଉଁସି ମହିଳା ଦୁଇଜଣ ଆମ୍ବୁଲାନସରେ ବସି ରହିଥିଲେ।

ଘଣ୍ଟାଏରୁ ଅଧିକ ସମୟ ବିତିଯିବା ପରେ ପୁଣିଥରେ ଗୀତା ଢାବାରେ ଖାଉଥିବା ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ଜିତକୁ ଦେଖିବା ପାଇଁ ଅନୁରୋଧ କରିଥିଲେ। ହେଲେ ଦୁହେଁ କିଛି ଶୁଣିନଥିଲେ। ପାଖାପାଖି ଦୁଇଘଣ୍ଟା ପରେ ଡ୍ରାଇଭର ଆମ୍ବୁଲାନସ ପାଖକୁ ଫେରି ଗାଡ଼ି ଆଗକୁ ବଢ଼ାଇଲେ। ପଛରୁ ମା ଓ ମାଉସୀ ସାଲାଇନ ଦେବା ପାଇଁ ଯେତେ ଅନୁରୋଧ କରିଥିଲେ ବି ସବୁ ନିଷ୍ଫଳ ହୋଇଥିଲା। ତେବେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ପିଲାଟି ନିସ୍ତେଜ ହୋଇ ଯାଇଥିବା ଦେଖି ମା ଓ ମାଉସୀ ଜୋରରେ କାନ୍ଦିବାରୁ ଆମ୍ବୁଲାନ୍‌ସ ଡ୍ରାଇଭର ଗାଡିଟିକୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଶିଶୁଟିର ମୃତ୍ୟୁପରେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସମାଜସେବୀ ପଦ୍ମଲୋଚନ ମହାନ୍ତ, ଗୋପାଳ ଚନ୍ଦ୍ର ମହାନ୍ତ, ସପନ କୁମାର ମହାନ୍ତ ଓ ଅନ୍ୟମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଆମ୍ବୁଲାନ୍‌ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଗାଡ଼ି ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ।

ଖବର ପାଇ ବେତନଟୀ ଥାନା ଏସ୍‌ଆଇ ବିପି ନନ୍ଦ, ଏଏସ୍‌ଆଇ ଚିତ୍ତରଞ୍ଜନ ବାରିକ, ଏଏସ୍‌ଆଇ ପିକେ ସାହୁ, କୃଷ୍ଣଚନ୍ଦ୍ରପୁର ଫାଣ୍ତି ଅଧିକାରୀ ସିକେ ରଣଜିତ ପ୍ରମୁଖ ଘଟଣାସ୍ଥଳରେ ପହ‌ଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ବେତନଟୀ ଥାନା କେସ୍ ନଂ ୧୭୬/୨୦୨୦, ଆଇପିସି ୩୦୪ (କ) ଓ ୩୪ ଧାରାରେ ଆମ୍ବୁଲାନ୍‌ସ ଡ୍ରାଇଭର, ଫାର୍ମାସିଷ୍ଟଙ୍କ ନାମରେ ମାମଲା ରୁଜୁ ହୋଇଛି। ସଙ୍କଟାପନ୍ନ ରୋଗୀଙ୍କୁ ରାସ୍ତାରେ ଅଟକାଇବା ନିୟମ ବିରୁଦ୍ଧ ହୋଇଥିବାବେଳେ ଆମ୍ବୁଲାନ୍‌ସ କର୍ମଚାରୀ ୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ରଖି ଢାବାରେ ଖାଇବା ଚରମ ଅବହେଳା। ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।