ବିଏସଏଫ୍ ଯବାନଙ୍କୁ ସହାୟତା : ଦିଲ୍ଲୀ ହିଂସାରେ ମହମ୍ମଦ ଅନିସଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର . . . .ମାଲକାନଗିରିରେ ନବମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ଅନିସ

466

କନକ ବ୍ୟୁରୋ : ଯବାନ ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଦଙ୍ଗାରେ ବିଏସଏଫ ଯବାନ ମହମ୍ମଦ ଅନିସଙ୍କ ଘର ପୋଡି ଛାରଖାର ହୋଇଯିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଙ୍ଗାରେ ଯବାନଙ୍କ ପରିବାର ସମସ୍ତ ସଞ୍ଚଞ୍ଚଳ ନଷ୍ଟ ହୋଇଯାଇଛି । ଖବର ପାଇବା ପରେ ମହମ୍ମଦ ଅନିସଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆନିସଙ୍କ ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଅନିସ ଓଡିଶାର ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ୯ମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ବିଏସଏଫର ଏହି ବାଟାଲିୟନ ସ୍ୱାଭିମାନ ଅଂଚଳର ସୁରକ୍ଷାରେ ନିୟୋଜିତ ରହିଛି । ବିଶେଷକରି ଗୁୁରୁପ୍ରିୟା ସେତୁକୁ ସୁରକ୍ଷା ଦେଉଛି ୯ମ ବାଟାଲିୟନ । ଗତ ୨୫ ତାରିଖରେ ଯେତେବେଳେ ଦିଲ୍ଲୀର ଖଜୁରୀଖାସରେ ହିଂସାକାଣ୍ଡ ଜାରି ରହିଥିଲା ଏତିକିବେଳେ ସଂଘବଦ୍ଧ ହୋଇ ଦୁବୃର୍ତ୍ତ ତାଙ୍କ ଘରେ ପଶି ନିଆଁ ଲଗାଇଦେଇଥିଲେ । ଏଥିରେ ପୁରା ଘର ଛାର ଖାର ହୋଇଯାଇଛି । ଘର ଭାଙ୍ଗି ଯାଇଛି । ପ୍ରାୟ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ଆଉ କିଛି ଦିନ ପରେ ଯବାନଙ୍କ ବାହାଘର । ହେଲେ ଏପରି ଅଘଟଣ ପରେ ତାଙ୍କର ବିବାହ ବି ଘୁଞ୍ଚିି ଯାଇଛି ।

ସେପଟେ ତାଙ୍କ ଘର ନିର୍ମାଣ ପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛି ବିଏସଏଫ୍ । ଅନିସଙ୍କ ପିତାମାତା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟିଛନ୍ତି ବିଏସଏଫ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ପୁଷ୍ପେନ୍ଦ୍ର ରାଠୋର । ସେ କହିଛନ୍ତି ପୋଡ଼ି ଯାଇଥିବା ଘର ନିର୍ମାଣର ସମସ୍ତ ଦାୟିତ୍ୱ ନେବ ସୀମା ସୁରକ୍ଷା ବଳ । ଆଉ ନୂଆ ଘରକୁ ‘ବିବାହ ଉପହାର’ ଭାବରେ ଆନିସଙ୍କୁ ହସ୍ତାନ୍ତର କରିବ ।