ଫେସବୁକରେ ପୋଷ୍ଟ କଲେ ‘ଅନ ଦ ୱେ ଟୁ ଉଜ୍ଜେନ୍’ ! ଫେରିଲା ବେଳକୁ ଘରେ ବୁଲି ସାରିଥିଲା କଳାକନା

35

ଆଜିକାଲି ଲୋକମାନେ ସୋସିଆଲ ମିଡ଼ିଆ ପ୍ରତି ଏତେ ଆସକ୍ତ ଯେ, ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ନିଜ ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୱାଟସଆପ, ଟ୍ୱିଟର, ଫେସବୁକ, ଇନଷ୍ଟା ଆଦିରେ ପୋଷ୍ଟ କରିଦେଉଛନ୍ତି । କେଉଁଠିକୁ ଯାଉଛନ୍ତି ଆଉ କେବେ ଫେରିବେ ଆଦି ସସମସ୍ତ ତଥ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ ହେଉଛି । କିଏ ଖୁସି ଅଛି ଆଉ ଦୁଃଖୀ କିମ୍ବା କିଏ କିପରି ଅନୁଭବ କରୁଛି ଏବେ ଆଉ କାହାକୁ ପଚାରିବା ପାଇଁ ପଡ଼ୁନି । ସବୁ କଥା ହ୍ୱାଟସଆପ ଓ ଫେସବୁକ ଷ୍ଟାଟସ୍ ଦେଖି ଆପଣ ଜାଣିଯିବେ । ବନ୍ଧୁ ଠାରୁ ଅତି ଘନିଷ୍ଠ ଓ ପରିବାର ଠାରୁ ମଧ୍ୟ ଅତି ନିଜର ହୋଇଯାଇଛି ସୋସିଆଲ ମିଡ଼ିଆ । ତେବେ ଏପରି କରିବା ଦ୍ୱାରା କ’ଣ ପରିସ୍ଥିିତି ସୃଷ୍ଟି ହୋଇପାରେ ସେନେଇ ସମସ୍ତେ ଅଜ୍ଞ ଥାଆନ୍ତି । ଆଉ ଏଥିପାଇଁ ଅନେକ ଲୋକ କ୍ଷତିରେ ମଧ୍ୟ ପଡ଼ୁଥିବାର ଅନେକ ନଜିର ରହିଛି ।

Facebook-Whatsapp

ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଏକ ଷ୍ଟାଟସ୍ କିପରି ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହା ନିକଟରେ ଦେଖିବା ପାଇଁ ମିଳିଛି । ଘଟଣା ବିଷୟରେ ଜାଣିଲେ ସୋସିଆଲ ମିଡ଼ିଆରେ ଅଭ୍ୟସ୍ତ ଥିବା ବ୍ୟକ୍ତି କିଛି ପୋଷ୍ଟ କରିବା ପୂର୍ବରୁ ନିଶ୍ଚୟ ଦୁଇ ଥର ଚିନ୍ତା କରିବେ । ଘଟଣାଟି ଛତିଶଗଡ଼ ସହରର କବର୍ଥା ଜିଲ୍ଲାର । ଏହି ଜିଲ୍ଲାର ଏକ ଖାଲି ଘରୁ ଦୁର୍ବୃତ୍ତ ୧୧.୬୦ ଲକ୍ଷ ଟଙ୍କାର କ୍ୟାସ୍ ସମେତ ସୁନାରୂପାର ଗହଣା ନେଇ ଫେରାର୍ ହୋଇଯାଇଛନ୍ତି । ମଙ୍ଗଳବାର ଦିନ ଘରକୁ ଫେରିବା ପରେ ଚୋରି ହୋଇଥିବା କଥା ଜଣାପଡ଼ିଥିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଏବେ ଚୋରି ନେଇ ଛାନଭିନ୍ ଜାରି ରଖିଛି । ତେବେ ସୂଚନା ଅନୁସାରେ ପୀଡ଼ିତ ପରିବାର ଜଣେ ସଦସ୍ୟ ଫେସବୁକରେ ଷ୍ଟାଟସ ପୋଷ୍ଟ କରିଥିଲେ ‘ଅନ ଦ ୱେ ଟୁ ଉଜ୍ଜେନ’ ।

ତେବେ ଏହି ଷ୍ଟାଟସ୍ ଯୋଗୁଁ ଚୋରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି । ଷ୍ଟାଟସ ଦେଖି ହିଁ ଚୋରମାନେ ଘରେ ପଶି ଖୁବ ସହଜରେ ଚୋରି କରିନେଇଥିବା ଜଣାପଡ଼ିଛଇ । ସୂଚନା ଅନୁସାରେ ପୀଡ଼ିତ ପରିବାର ୨ ଅଗଷ୍ଟ ଦିନ ଘର ତାଲା ଲଗାଇ ମହାବଳେଶ୍ୱର ଦର୍ଶନ ପାଇଁ ବାହାରି ଯାଇଥିଲେ । ସବୁ ଠିକ୍ ଥିଲା କିନ୍ତୁ ପରିବାରର ଜଣେ ସଦସ୍ୟଙ୍କ ପୋଷ୍ଟ ପାଇଁ ଆଜି ଘରେ କଳାକନା ବୁଲେଇ ଦେଇଛନ୍ତି ଚୋର । ଏହି ଘଟଣା ପରେ ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରହୁଥିବା ବ୍ୟକ୍ତି ନିଶ୍ଚୟ ଥରେ ଚିିନ୍ତା କରିବେ ।