କନକ ବ୍ୟୁରୋ : ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ପଦ୍ମଶ୍ରୀ ହଳଧର ନାଗ । କୋଶଲି ସାହିତ୍ୟ ଡଟ୍ ଇନ୍ ନାମକ ଫେସବୁକ ପେଜରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପଲୋଡ୍ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହଳଧର ନାଗ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ୍ ଅଛି । ସ୍ମାର୍ଟଫୋନ ବ୍ୟବହାର ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । ତାଙ୍କ ଫୋନରେ ଇଣ୍ଟରନେଟ୍ ସୁବିଧା ନାହିଁ । ଫେସ୍ବୁକ୍ କିମ୍ବା କୌଣସି ସୋସିଆଲ୍ ମିଡିଆ ସହ ହଳଧର ନାଗ ଅବଗତ ନୁହଁନ୍ତି । ଫେସ୍ବୁକ୍ ପେଜରେ ତାଙ୍କ ଫଟୋ ରହିବା କଥା ବି ସେ ଆଦୌ ଜାଣି ନାହାନ୍ତି ।
ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ଛବିଳ ବର୍ଣ୍ଣବୋଧ ପଢ଼ି ହିଁ ଭାଷା ଶିଖିଛି ବୋଲି କହିଛନ୍ତି ହଳଧର ନାଗ । ସବୁ ଭାଷା ସମାନ । ସବୁ ଭାଷାର ମର୍ଯ୍ୟାଦା ରହିଛି । ବର୍ଣ୍ଣବୋଧ ପୋଡ଼ିବା ତ ଅପରାଧ, ତାହାର ଭିଡିଓ ଅପ୍ଲୋଡ୍ କରିବା ଆହୁତି ବଡ଼ ଅପରାଧ । ଏନେଇ ସେ ମେଲ୍ଛାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ହଳଧର ନାଗଙ୍କ ଏତଲା ଆଧାରରେ ମେଲ୍ଛାମୁଣ୍ଡା ପୁଲିସ୍ ଗାଇସିଲାଟ୍ ବ୍ଲକ ତାଲପଦର ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କୁ ଶୁକ୍ରବାର ଜେରା କରିଥିଲା । ପରେ ତାଙ୍କୁ ପୁଲିସ୍ ଛାଡ଼ି ଦେଇଥିବା ଜଣାପଡ଼ିଛି ।