ଚେନ୍ନାଇରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଠପ୍ ! ସ୍କୁଲ, କଲେଜ ବନ୍ଦ, ଅନେକ ଅଂଚଳ ଜଳବନ୍ଦୀ

25

କନକ ବ୍ୟୁରୋ : ଚେନ୍ନାଇରେ ଗତ କିଛିଦିନ ଧରି ଲଗାତାର ବର୍ଷା ଫଳରେ ଜନଜୀବନ ଠପ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ୨୦୧୫ର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଚେନ୍ନାଇରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଶୁକ୍ରବାର ପୂର୍ବରୁ ବର୍ଷା କମ ହେବା ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ, କାଂଚିପୁରମ ଓ ଏହାର ଆଖପାଖ ଅଂଚଳରେ ସ୍କୁଲ-କଲେଜ ବନ୍ଦ ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

ସୋମବାରରୁ ଲଗାଣ ବର୍ଷା ସହ ପବନ ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚେନ୍ନାଇରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ପବନ ବୋହୁଛି । ଅନେକ ଅଂଚଳରେ ପାଣି ପଶିଯାଇଛି । ଟ୍ରାଫିକ ସମସ୍ୟା ବି ଦେଖାଦେଇଛି । ଶ୍ରୀଲଙ୍କାର ଉପକୂଳବର୍ତୀ ଅଂଚଳରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଥିବାରୁ ତାମିଲନାଡୁର ଉପକୂଳବର୍ତୀ ଅଂଚଳରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।