ପ୍ରେମିକକୁ ପାଇବାକୁ ସ୍ୱାମୀଙ୍କୁ ଧୋକା : ୭ ବର୍ଷ ପରେ ପିପିଲିରୁ ଧରାପଡିଲେ ଧୋକାବାଜ ପତ୍ନୀ, ପତ୍ନୀ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲେ ସ୍ୱାମୀ

1,625

କନକ ବ୍ୟୁରୋ : ପ୍ରେମିକକୁ ପାଇବାକୁ ସ୍ୱାମୀକୁ ଧୋକା । ସାତ ବର୍ଷ ପରେ ଫେରିଲା ପତ୍ନୀ । ଦୁନିଆ ଜାଣିଥିଲା ସେ ମୃତା । ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ତାଙ୍କ ସ୍ୱାମୀ ଜେଲ ବି ଯାଇଥିଲେ । ହେଲେ ଏବେ ପ୍ରେମିକ ସହ ମହିଳାଙ୍କୁ ଧରିଛି ପୋଲିସ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚାଉଳିଆ ବାମରା ଗାଁରୁ ଆସିଛି ଏଭଳି ଖବର । ପାଟକୁରା ପୋଲିସ କୌଣସି ସୂତ୍ରରୁ ଖବର ପାଇ ପୁରୀ ଜିଲ୍ଲା ପିପିଲି ଅଂଚଳରୁ ମୃତ ବୋଲି କୁହାଯାଉଥିବା ମହିଳାଙ୍କ ସମେତ ତାଙ୍କର ପ୍ରେମିକ ଓ ସେମାନଙ୍କର ୨ ସନ୍ତାନଙ୍କୁ ହେପାଜତକୁ ଆଣିଛି ।

୨୦୧୩ ଫେବ୍ରୁଆରୀ ୭ରେ ଚାଉଳିଆ ବାମରାର ଗନ୍ଧର୍ବ ସୂତାରଙ୍କ ପୁଅ ଅଭୟ ସୂତାର କୁଜଙ୍ଗ ଥାନା ଅନ୍ତର୍ଗତ ସମାଗୋଳ ଗ୍ରାମର ପହଲ୍ଲାଦ ମହାରଣାଙ୍କ ଝିଅ ମିଲି ଓରଫ ଇତିଶ୍ରୀ ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହର ୧୫ ଦିନ ପରେ ଅର୍ଥାତ ୨୨ ତାରିଖରେ ଅଭୟ ତାଙ୍କ ସ୍ତ୍ରୀ ମିଲିଙ୍କ ସହ ଶ୍ୱଶୁର ଘରକୁ ଯାଇଥିଲେ । ମାତ୍ର ଏହି ସମୟରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଉଥିବା ମିଲି ତାଙ୍କ ବାପାଙ୍କୁ କହିଥିଲେ । ଝିଅ ମିଲିଠାରୁ ଏହି ଖବର ଶୁଣି ଝିଅ ଜ୍ୱାଇଁଙ୍କୁ ସାଥିରେ ଆଣି ପ୍ରହ୍ଲାଦ ବାମରାକୁ ଆସିଥିଲେ ।

ଝିଅ ଯେମିତି ଭଲରେ ଚଳିବ ସେନେଇ ଘର ଲୋକଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ପରଦିନ ସକାଳୁ ହଠାତ ମିଲି ଶାଶୁ ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ । ଶାଶୁଘର ଲୋକଙ୍କ ସମେତ ମିଲିଙ୍କ ବାପା ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ସନ୍ଧାନ ପାଇନଥିଲେ । ଏନେଇ ପାଟକୁରା ଥାନାରେ ଏତଲା ଦେଇଥିଲେ ମିଲିଙ୍କ ବାପା । ଅଭିଯୋଗ ଆଧାରରେ ଅଭୟଙ୍କୁ ଗିରଫ କରିଥିଲା ପୋଲିସ୍ ।