ପୁଲିସ ପଞ୍ଝାରେ ଠକ ଗ୍ୟାଙ୍ଗ : ସ୍ୱାମୀ-ସ୍ତ୍ରୀ ଏବଂ ସହଯୋଗୀଙ୍କୁ ଗିରଫ କରି ଜେଲ ପଠାଇଲା ନବରଙ୍ଗପୁର ପୁଲିସ, ଚାକିରି କରାଇ ଦେବାକୁ କହି ବେକାର ଯୁବକ ଯୁବତୀଙ୍କ ଠାରୁ ଠକିଛନ୍ତି କୋଟି କୋଟି ଟଙ୍କା

752

କନକ ବ୍ୟୁରୋ : ଠକ ସଂସ୍ଥା ମିଛ ଚାକିରୀ । ସରକାରୀ ଚାକିରୀ ଦେବା ନାଁରେ ଅଭିନବ ଉପାୟରେ କୋଟିଏ ଟଙ୍କାରୁ ଅଧିକ ଆତ୍ମସାତ୍ । ଜାତୀୟ ମାନବାଧିକାର ନାମରେ ସଂସ୍ଥା ଖୋଲି ଟଙ୍କା ଅମô୍ସାତ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଶିଳ୍ପ ବିହୀନ ଜିଲାରେ ସରକାରୀ ଚାକିରୀ ଯୋଗେଇଦେବା ନାଁରେ ଟଙ୍କା ହଡପକାରୀଙ୍କୁ ଗିରଫ କରି ଘଟଣାର ପର୍ଦ୍ଦା ଫାସ କରିଛି ପୁଲିସ । 

ଦାମୀ ଗାଡିରେ ବୁଲୁଥିଲେ, ଚାକିରୀ ବାଂଟୁଥିଲେ  । ହେଲେ ଏବେ କ୍ୟାମେରାକୁ ଦେଖି ମୁହଁ ଲୁଚାଉଛନ୍ତି । ଜାତୀୟ ମାନବାଧିକାର ନାଗରିକ କମିଶନ ସଦସ୍ୟ କହି ନିରୀହ ଆଦିବାସୀଙ୍କୁ ଠକୁଥିଲେ । ସେମାନଙ୍କ ସରଳତାର ଫାଇଦା ଉଠାଇ ନବରଂଗପୁର ଜିଲ୍ଲା ଉମରକୋଟ ଅଂଚଳର ଶହ ଶହ ବେକାର ଯୁବକ ଯୁବତୀଙ୍କୁ ଚୂନା ଲଗାଇଥିବା ଏ ଗ୍ୟାଙ୍ଗ ଏବେ ପୁଲିସ୍ ପଂଞ୍ଝାରେ । ଅଭିନବ ଉପାୟରେ ଠକେଇ କରୁଥିଲେ ଏ ଗ୍ୟାଙ୍ଗ । ସ୍ୱାମୀ, ସ୍ତ୍ରୀ ଓ ଅନ୍ୟଜଣେ ମିଶି ପ୍ରଥମେ ଗ୍ରାମାଞ୍ଚଳରେ ଇ-ସୁବିଧା ସଚେତନ କ୍ୟାମ୍ପ କରି ଅଂଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି କରି ଡାକି ଲୋକଙ୍କ ବିଶ୍ୱାସ ଜିତୁଥିଲେ । ତା’ପରେ ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀ କରାଇଦେବାର ଲୋଭ ଦେଖାଇ ହଡପ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । 

ଠକ ଗ୍ୟାଙ୍ଗର ମୁଖ୍ୟ କାର୍ପେଟଦାର ଥିଲେ ରଂଜନା ବର୍ମା, ସ୍ୱାମୀ ଲିଟୁ ପାତ୍ର ଓ ଅନିଲ ବାନାର୍ଜୀ । କେବଳ ଚାକିରୀ ନୁହେଁ, ବିଭିନ୍ନ ଦଳରୁ ବିଧାୟକ ଟିକେଟ୍ କରାଇଦେବାକୁ କହି ବି ଅନେକଙ୍କଠାରୁ ଟଙ୍କା ହଡପ କରୁଥିଲା ଏ ଗ୍ୟାଙ୍ଗ । ଉମରକୋଟ ଅଂଚଳର ଗୌତମ ପୂଜାରୀ, ରାଇନୁ ଗଣ୍ଡ, ପ୍ରେମଶିଳା ନାୟକ, ପବିତ୍ର ମହାକୁଡ, ବିଦ୍ୟା ଦାସ, ଲଳିତ କଲାର, ସୁକୁମନ ଗଣ୍ଡ, ଜୟ ଖରାଙ୍କ ପରି ଶହ ଶହ ଯୁବକ ଯୁବତୀ ଏମାନଙ୍କ ଠକାମୀର ଶିକାର ହୋଇଛନ୍ତି । ଚାକିରୀ ଦେବାପାଇଁ ମୁଣ୍ଡପିଛା ପ୍ରାୟ ୫୦ ହଜାର ଟଙ୍କା ଲେଖାଏଁ ନେଇ ଗୋଟିଏ ଲେଖାଏଁ ଜାଲ୍ ନିଯୁକ୍ତି କାର୍ଡ ଧରାଇ ଦେଉଥିଲେ ଏ ଠକ ଗ୍ୟାଙ୍ଗ । କହୁଥିଲେ ଦରମା ଓ ଅନ୍ୟ ସବୁ ଟଙ୍କା ଏହା ମାଧ୍ୟମରେ ଆସିବ । କିନ୍ତୁ ଚାକିରୀ ନ ପାଇ ଠକାମୀର ଶିକାର ବ୍ୟକ୍ତି ଫୋନ୍ କଲେ ଏମାନେ ଫୋନ୍ ତ ଉଠାଉ ନଥିଲେ ବରଂ ଧମକ ଚମକ ଦେଉଥିଲେ । ଏନେଇ ଅନେକ ଅଭିଯୋଗ ଆସିବା ପରେ ଶେଷରେ ପୁଲିସ୍ ତିନିଜଣଙ୍କୁ ଗିରଫ କରିଛି । ହେଲେ ଗତ ତିନି ବର୍ଷ ଧରି ଏମାନେ ଚଳାଇଥିବା ଠକ ସାମ୍ରାଜ୍ୟକୁ ଦେଖି  ପୋଲିସ୍ ବି ତାଜୁବ୍ ହୋଇଯାଇଛି । 

ଅତି ନାଟକୀୟ ଢଙ୍ଗରେ ପୋଲିସ୍ ନବରଂଗପୁର ଯିବା ବେଳେ ଏ ଗ୍ୟାଙ୍ଗକୁ ଧରିଛି । ତିନିବର୍ଷ ତଳେ ପାଖରେ ମୋଟର ସାଇକେଲଟିଏ ନଥିଲା, ହେଲେ ଏବେ ଆଲିସାନ ଘର ଓ ଦାମୀ ଗାଡିର ମାଲିକ ସେମାନେ । ଶହ ଶହ ନିରୀହ ଆଦିବାସୀ ଯୁବକ ଯୁବତୀଙ୍କୁ ଠକି ଆଜି ଏ ଠକମାନେ କୋଟିପତି । ହେଲେ ଚୋର ଘର ସବୁଦିନ ଅନ୍ଧାର ନଥାଏ । ଶେଷରେ ଠକ ସାମ୍ରାଜ୍ୟର ଅନ୍ତ ହୋଇଛି । ଆଉ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଯୋର ଧରିଛି । ହେଲେ ଜମି, ସୁନା ବିକି ଚାକିରୀ ଆଶାରେ ନିଜର ସର୍ବସ୍ୱ ଦେଇ ଠକେଇର ଶିକାର ଯୁବକ ଯୁବତୀ ଫେରି ପାଇବେ ତ ସେମାନଙ୍କ ଟଙ୍କା? ଠକ ଗ୍ୟାଙ୍ଗର ଚେର କେତେ ଲମ୍ବା ପୁଲିସ ତାର ଠିକଣା ପାଇବ ତ? ଏହା ଏବେ ବଡ ପ୍ରଶ୍ନ ।