କଂଗ୍ରେସ କ୍ଷମତାକୁ ଆସିଲେ ମାତ୍ର ୨ ଦିନରେ କୃଷି ଋଣ ଛାଡ଼ ! ନୂଆପଡ଼ା ସଭାରେ ନିର୍ବାଚନ ପ୍ରଚାର ସହ ପ୍ରତିଶ୍ରୁତି ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

85

କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର । ଆଉ ମାତ୍ର ୪ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି । ପ୍ରମୁଖ ଦଳ ପକ୍ଷରୁ ହାଇଭୋଲ୍ଟେଜ୍ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନର ଆସୁଛନ୍ତି । ଏହି କ୍ରମରେ ନିର୍ବାଚନ ପ୍ରଚାର ପାଇଁ ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓଡ଼ିଶା ଆସିଥିଲେ  ।

ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବା ଭଳି ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସର ବିଜୟଧାରା ଜାରି ରହିବ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ରେ ଆୟୋଜିତ କଂଗ୍ରେସର ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଭିଭାଷଣରେ ଏକଥା କହିଛନ୍ତି  । ଛତିଶଗଡ଼ରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପାଳନ କରିଛି । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଦୁଇଦିନରେ କୃଷିଋଣ ଛାଡ଼ କରାଯିବ ବୋଲି ଭୂପେଶ ବାଘେଲ କହିଥିଲେ ।

ସଭାକୁ ଅଙ୍କିତ ସିଂଘାଇ ପରିଚାଳନା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଅନିଲ ଚୌଧୁରୀ, ଛତିଶଗଡ ବିଧାୟକ ଦ୍ବାରିକାଧୀଶ ଯାଦବ, ଆଲୋକ ଗୁରୁ ପ୍ରମୁଖ । ନୂଆପଡା ବିଧାନସଭା ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅମିତ ଅହୀର ଧନ୍ୟବାଦ ଦେଇଥିଲେ ।