କନକ ବ୍ୟୁରୋ : ସଫଳତାର ସହ ଗତି କରୁଛି ଚନ୍ଦ୍ରଯାନ । ଆଉ ଏକ ପାଦ ଆଗେଇଛି ଭାରତର ଏହି ଚନ୍ଦ୍ର ମିସନ୍ । ଜୁଲାଇ ୨୨ ତାରିଖରେ ଚନ୍ଦ୍ର ଅଭିମୁଖେ ଯାଇଥିବା ଚନ୍ଦ୍ରଯାନ ଏବେ କେଉଁଠି ପହଁଚିଛି ଏବଂ ଏହା କିପରି ଗତି କରୁଛି, ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଇସ୍ରୋ ପକ୍ଷରୁ କୁହାଯାଇଛି, ଯୋଜନା ମୁତାବକ ଆଗେଇ ଚାଲିଛି ଚନ୍ଦ୍ରଯାନ-୨ । ଶୁକ୍ରବାର ଦିନ ନିର୍ଦ୍ଧାରିତ ସମୟରେ ଚତୁର୍ଥ କକ୍ଷପଥକୁ ଉଠିଛି ସ୍ପେସ୍ କ୍ରାଫ୍ଟ । ଅଗଷ୍ଟ ୬ ତାରିଖରେ ପଂଚମ କକ୍ଷପଥରେ ସ୍ଥାପିତ ହେବ । ଚନ୍ଦ୍ରଯାନର ସମସ୍ତ ପରିମାପ ସ୍ୱାଭାବିକ ଥିବା ଜଣାପଡ଼ିଛି ।

Advertisment

ଯେମିତି ଯୋଜନା ଥିଲା, ସେହି ଅନୁରୂପ ଗତି କରୁଛି ଚନ୍ଦ୍ରଯାନ-୨ । ନିର୍ଦ୍ଧାରିତ ସମୟରେ ପୃଥିବୀର ଚତୁର୍ଥ କକ୍ଷପଥକୁ ଉଠିଛି ସ୍ପେସ୍କ୍ରାଫ୍ଟ । ଲିକ୍ୟୁଡ୍ ଆପୋଜି ମୋଟର, ୬୪୬ ସେକେଣ୍ଡ ଅର୍ଥାତ୍ ୧୦ ମିନିଟ୍ ୪୬ ସେକେଣ୍ଡ ଜଳିବା ପରେ ଚନ୍ଦ୍ରଯାନର ଏହି ଯାତ୍ରା ସଫଳ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ୨୭୭ କିଲୋମିଟର ନିକଟ ଏବଂ ୮୯,୪୭୨ କିଲୋମିଟର ଦୂରତା ବିଶିଷ୍ଟ ଚତୁର୍ଥ କକ୍ଷପଥରେ ବୁଲିବା ଆରମ୍ଭ କରିଛି ଚନ୍ଦ୍ରଯାନ-୨ । ଏହା ପରେ ପଂଚମ କକ୍ଷପଥରେ ଘୁରି ବୁଲିବ ସ୍ପେସ୍କ୍ରାଫ୍ଟ ।   ଚନ୍ଦ୍ରାୟନ-୨ ଅନ୍ତରୀକ୍ଷ ଯାନକୁ ସଫଳତାର ସହ ଚନ୍ଦ୍ର ଅଭିମୁଖେ ଅନ୍ତଃକ୍ଷେପଣ କରିବା ଏହି ମିସନ୍ର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏକ ସପ୍ତାହ ପରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ଆଡକୁ ଗତି କରିବ ଚନ୍ଦ୍ରାୟନ-୨ ।

୧୩ ଦିନର ଏହି ଯାତ୍ରାରେ ଚନ୍ଦ୍ର ଚାରିପଟେ ଘୁରି ବୁଲିବ ୫ ଥର । ସେପ୍ଟେମ୍ବର ୩ ତାରିଖରେ ଅର୍ବିଟର ଠାରୁ ଅଲଗା ହୋଇଯିବ ଲ୍ୟାଣ୍ଡର ‘ବିକ୍ରମ’ । ଅଲଗା ହେବା ପରେ  ସକ୍ରିୟ ହୋଇଯିବ ଲ୍ୟାଣ୍ଡର । ଚନ୍ଦ୍ର ପୃଷ୍ଠର ନିମ୍ନ କକ୍ଷପଥରେ ପରିକ୍ରମଣ କରିବ ଲାଣ୍ଡର । ନୂଆ କକ୍ଷପଥରେ ଏହା ପ୍ରାୟ ୪ ଦିନ ବୁଲିବ । ଏହା ପରେ ଆସିବ ଅବତରଣର ପ୍ରତୀକ୍ଷିତ ମୁହୂର୍ତ୍ତ ।

ଇସ୍ରୋର ପାଇଁ ସବୁଠୁ ଅଧିକ ଆହ୍ୱାନର ଦିନ । ଚନ୍ଦ୍ର ପୃଷ୍ଠରେ ଧୀର ଅବତରଣ କରିବ ରୋଭରକୁ ନେଇ ଯାଉଥିବା ଲାଣ୍ଡର । ଅବତରଣ କରିବା ପୂର୍ବରୁ ଶେଷ ୧୫ ମିନିଟକୁ ଟେରିଫାଇଙ୍ଗ୍ ମୋମେଂଟ କୁହାଯାଉଛି, ଏହି ମିସନ୍ର ସବୁଠୁ ଅଧିକ ଜଟିଳ ପ୍ରକ୍ରିୟା । ସବୁକିଛି ଯୋଜନା ମୁତାବକ ଚାଲିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲାଣ୍ଡର । ଏହା ପରେ ଲାଣ୍ଡର ‘ବିକ୍ରମ’ରୁ ଅଲଗା ହୋଇଯିବ ରୋଭର ‘ପ୍ରଜ୍ଞାନ୍’ । ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ଧରି ଅନୁଧ୍ୟାନ କରିବ ରୋଭର । ଏହା ସହ ସଫଳ ହେବ ଇସ୍ରୋର ବହୁ ପ୍ରତିକ୍ଷୀତ ଚନ୍ଦ୍ର ମିସନ୍ ।