୯୫ ପ୍ରତିଶତ ସଫଳ ଚନ୍ଦ୍ରଯାନ-୨ : ମିଶନର ୫ ପ୍ରତିଶତ ହୋଇଛି ବିଫଳ, ଚନ୍ଦ୍ରକୁ ଏବେ ବି ପ୍ରଦକ୍ଷଣ କରୁଛି ଅର୍ବିଟର, ଏକ ବର୍ଷ ଯାଏଁ ଇସ୍ରୋକୁ ପଠାଇବ ଫଟୋ 

1,149

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ବିଫଳ ନୁହେଁ ଚନ୍ଦ୍ରଯାନ ମିଶନ୍ । ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ମିଶନ୍ ବିଫଳ ହୋଇଥିବା କୁହାଯାଉଛି । କିନ୍ତୁ ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ମିଶନର କେବଳ ୫ ପ୍ରତିଶତ ଫେଲ ହୋଇଛି । କାରଣ ୯୮୭ କୋଟି ଟଙ୍କା ମିଶନ୍ ଚନ୍ଦ୍ରଯାନ-୨ର ସବୁଠାରୁ ବଡ ଭାଗ ଅର୍ଥାତ୍ ଅର୍ବିଟର ଏବେ ବି ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ତେଣୁ ମିଶନର ୯୫ ପ୍ରତିଶତ ସଫଳ ହୋଇଛି ବୋଲି କୁହାଯାଇ ପାରିବ । ନିଜ ନାମକୁ ଗୋପନ ରଖି ଏଆଏନଏସକୁ ଏହି ସୂଚନା ଦେଇଛନ୍ତି ଇସ୍ରୋ ବୈଜ୍ଞାନିକ ।

ପ୍ରାୟ ୧ ବର୍ଷଧରି ଚନ୍ଦ୍ରଯାନ-୨ର ରୋଭର ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ସହ ଏହାର ଉପରିଭାଗର ଫଟୋ ଇସ୍ରୋକୁ ପଠାଇବ । ଏପରିକି ଲ୍ୟାଣ୍ଡର ବିକ୍ରମର ଅବସ୍ଥିତି ବାବଦରେ ମଧ୍ୟ ଅର୍ବିଟର ଫଟୋ ଉଠାଇ ଇସ୍ରୋକୁ ପଠାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୨ରେ ତିନିଟି ପର୍ଯ୍ୟାୟ ରହିଥିଲା ପ୍ରଥମଟି ଅର୍ବିଟର, ଦ୍ୱିତୀୟଟି ହେଲା ଲ୍ୟାଣ୍ଡର ବିକ୍ରମ ଏବଂ ତୃତୀୟରେ ରୋଭର ପ୍ରଜ୍ଞାନ । ସେପ୍ଟେମ୍ବର ୨ ତାରିଖରେ ଅର୍ବିଟରଠାରୁ ଅଲଗା ହୋଇଥିଲା ଲ୍ୟାଣ୍ଡର ବିକ୍ରମ । ଗତକାଲି ରାତି ଗୋଟାଏ ୫୩ ମିନିଟରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବାବେଳେ ୨ ଦଶମିକ ୧ କିଲୋମିଟର ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

 ତେଣୁ ଏହା କ୍ରାସଲ୍ୟାଣ୍ଡ କରିଛି ଅଥବା ସିଗନାଲ ମିଳିବା ବନ୍ଦ ହୋଇଯାଇଛି, ସେନେଇ ଇସ୍ରୋ ବୈଜ୍ଞାନିକ ଅନୁଧ୍ୟାନ କରୁଛନ୍ତି । ଏବଂ ଏ ସଂପର୍କରେ କୌଣସି ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି । ଗତ ଜୁଲାଇ ୨୨ ତାରିଖରେ ପିଏସଏଲଭି- ଥ୍ରୀ ରକେଟ୍ ଜରିଆରେ ଚନ୍ଦ୍ରଯାନ-୨କୁ ଧରି ଚନ୍ଦ୍ରର ଦକ୍ଷିଣ ଧୃବ ଅଭିମୁଖେ ବାହାରିଥିଲା । ଶେଷ ସୋପାନ ପର୍ଯ୍ୟନ୍ତ ଏହାର ଯାତ୍ରା ସୁଗମ ଥିଲା । ହେଲେ ଚନ୍ଦ୍ର ପୃଷ୍ଠରେ ଧୀର ଅବତରଣବେଳେ ଜଟିଳ ପରିସ୍ଥିତି ଉପୁଜିଥିଲା ।