ବିରୋଧୀଙ୍କୁ ଏକଜୁଟ କରିବାକୁ ରଣନୀତି : ମୋର୍ଚ୍ଚାର ମୁଖ୍ୟ ନାୟକ ଚନ୍ଦ୍ରବାବୁ ନାଇଡ଼ୁ, ଆଜି ମମତାଙ୍କୁ ସାକ୍ଷାତ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

264

କନକ ବ୍ୟୁରୋ : ୨୦୧୯ରେ ସରକାର ଗଢ଼ିବା ପାଇଁ ବିରୋଧୀଙ୍କ ଜୋରଦାର ପ୍ରୟାସ । ଲୋକସଭା ନିର୍ବାଚନ ଶେଷ ହେବା ପରେ ବିରୋଧୀ ଦଳ ଗୁଡ଼ିକ ଏକାଠି ହୋଇ ମୋଦିଙ୍କୁ ପରାଜିତ କରିବା ପାଇଁ ଚକ୍ରବ୍ୟୁହ ରଚୁଛନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ବିରୋଧୀ ନେତାଙ୍କ ସହ ମାରାତଡ଼୍ ସାକ୍ଷାତ କରୁଛନ୍ତି । ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ଲକ୍ଷନୌରେ ସପା ମୁଖ୍ୟ ଅଖିଲେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀଙ୍କୁ ଭେଟିସାରିଛନ୍ତି । ଆଉ ତା’ପରେ ରାହୁଲ ଗାନ୍ଧୀ ଓ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ପୁଣି ଆଲୋଚନା କରିଥିଲେ ।

image courtesy : Post Card News

ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ଏକଜିଟ୍ ପୋଲ ମତ ଆସିଯାଇଛି । ପ୍ରାୟ ସମସ୍ତ ସର୍ଭେରେ ଏନଡ଼ିଏକୁ ବହୁମତ ମିଳୁଥିବା ସମ୍ଭାବନା ଦେଖାଦେଉଛି । ବୁଥ ବାହୁଡ଼ା ମତ ଆସିବା ପରେ ଭାଜପା ଉତ୍ସବ ମନାଉଥିବା ବେଳେ ବିରୋଧୀ ଦଳ ଗୁଡ଼ିକ ଉପରେ ଚଡ଼କ ପଡ଼ିଛି । ଏକଜିଟ୍ ପୋଲ ଆସିବା ପରେ ଚିନ୍ତିତ ହୋଇପଡ଼ିଛନ୍ତି ବିରୋଧୀ । ଆଉ ଏହି ପରିପେକ୍ଷୀରେ ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିବେ ଚନ୍ଦ୍ରବାବୁ ନାଇଡ଼ୁ ।

ମମତାଙ୍କ ସହ ସାକ୍ଷାତ ଶେଷ କରି ପୁଣି ଦିଲ୍ଲୀ ଫେରିଯିବେ ଚନ୍ଦ୍ରବାବୁ । ଅନ୍ୟପଟେ ମମତା ବାନାର୍ଜୀ ବିରୋଧୀ ଦଳ ଗୁଡ଼ିକୁ ଏକଜୁଟ ପାଇଁ ଅପିଲ କରୁଛନ୍ତି । ଏକଜିଟ୍ ପୋଲ୍ ଆସିବା ପରେ ମମତା ବାନାର୍ଜୀ ଟ୍ୱଟି୍ କରିଛନ୍ତି, ମୁୁଁ ଏକଜିଟ୍ ପୋଲ ଉପରେ ଭରସା କରୁନି । ଚାଲାକି ସହ ହଜାର ହଜାର ଇଭିଏମ ବଦଳାଇବା ପାଇଁ ପ୍ରୟାସ କରାଯାଉଛି ।