ବାତ୍ୟା ‘ଫୋନି’ରେ ନଷ୍ଟ ହୋଇଗଲା ଚନ୍ଦକା ବାଉଁଶ : ପ୍ରାକୃତିକ ଶୋଭାଭରା ସବୁଜିମା ଏବେ ଧୂସରିଆ, ବାଉଁଶ ବଣରେ ଅଗ୍ନିକାଣ୍ଡ ଆଶଙ୍କା

61

କନକ ବ୍ୟୁରୋ : ଯୁଆଡ଼େ ଚାହିଁଲେ ଶୁଖିଲା ବାଉଁଶ । ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ୍ ଅଞ୍ଚଳରେ ମାଟିରେ ଲୋଟି ପଡ଼ିଛି ବାଉଁଶ ବୁଦା । ଦିନେ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣ ପାଲଟିଥିବା ସବୁଜିମାଭରା ପରିବେଶ ଭୁବନେଶ୍ୱର ଉପକଣ୍ଠରେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ବାଉଁଶ ବଣ ଏବେ ଆଉ ନାହିଁ । ବାତ୍ୟା ‘ଫନି’ ମାଡ଼ରେ ଛାରଖାର ହୋଇଯାଇଛି ସବୁ କିଛି । ୫୦ ବର୍ଷର ପ୍ରାକୃତିକ ଶୋଭାଭରା ଏହି ଅଭୟାରଣ୍ୟ ଏବେ ଧୂସରିଆ ବର୍ଣ୍ଣ ଧାରଣ କରିଛି ।

ଜଙ୍ଗଲ ଭିତରେ ବାଉଁଶ ବୁଦା ଉପୁଡ଼ି ପଡ଼ିଛି । ଆଉ କେଉଁଠି ଅଭୟାରଣ୍ୟ ପାଚେରି ଉପରେ ପଡ଼ିଛି ଶୁଖିଲା ବାଉଁଶ । ଜଙ୍ଗଲର ସବୁ ଆଡ଼େ ଶୁଖିଲା ବାଉଁଶ ପଡ଼ି ରହିଥିବାରୁ ଏବେ ପାଦେ ପାଦେ ବିପଦ ସୃଷ୍ଟି ହୋଇଛି । ଯେକୌଣସି ସମୟରେ ଜଙ୍ଗଲ ମଧ୍ୟର ଏହି ବାଉଁଶ ବଣରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି । ଯେଉଁଥିପାଇଁ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିଦ ବି ହଜିଗଲାଣି । ବାତ୍ୟା ଦିନଠାରୁ ଜଙ୍ଗଲକୁ ସୁରକ୍ଷିତ ରଖିବା ଏବେ ଅଧିକାରୀଙ୍କ ଲାଗି ବଡ଼ ଆହ୍ବାନ ସୃଷ୍ଟି କରିଛି । ଥରେ ଯଦି ବାଉଁଶ ଜଙ୍ଗଲରେ ନିଆଁ ଲାଗିବ, ତାହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ । କେବଳ ଯେ ଜଙ୍ଗଲ ଧ୍ୱଂସ ହେବ, ତାହା ନୁହେଁ । ଅଭୟାରଣ୍ୟରେ ଥିବା ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ମୃତ୍ୟୁ ହେବ । ଏପରିକି ଭୁବନେଶ୍ବରକୁ ବି ନିଆଁ ମାଡ଼ି ଆସିବାର ବିପଦକୁ ଟାଳି ଦେଇହେବ ନାହିଁ ।

୧୯୩ ବର୍ଗ କିମି ପରିବ୍ୟପ୍ତ ଏହି ଅଭୟାରଣ୍ୟରେ ପ୍ରାୟ ୨୦ବର୍ଗ କିମି ଅଞ୍ଚଳରେ ବାଉଁଶ ବଣ ରହିଛି। ଯେଉଁଠାରେ ୪୦ହଜାରରୁ ଅଧିକ ବାଉଁଶ ବୁଦା ରହିଛି। ବାତ୍ୟା ମାଡ଼ରେ ପ୍ରାୟ ୧୮ରୁ ୨୦ ହଜାର ବାଉଁଶ ବୁଦା ଉପୁଡ଼ି ପଡ଼ିଛି । ୧୪ ଦିନ ହେଲା ବାଉଁଶ ବୁଦାଗୁଡ଼ିକ ମାଟିରେ ଲୋଟିଥିବାରୁ ସେଗୁଡ଼ିକ ଶୁଖି ଯାଇଛି । ଏଥିସହ ବର୍ତମାନ ସମୟରେ ବାଉଁଶ ଫୁଲ ଓ ମଞ୍ଜି ଧରିଥିବାରୁ ସେଗୁଡ଼ିକ ଶୁଖି ମରିବା ଅବସ୍ଥାକୁ ଆସିଗଲାଣି । ଯଦି କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିବ, ତେବେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ।

ପରିବେଶବିତଙ୍କ କହିବା କଥା ହେଉଛି ଯେ ବାଉଁଶ ବଣରେ ନିଆଁ ଲାଗିଲେ ତାହା ଆଖି ପିଛୁଳାକେ ସାରା ଜଙ୍ଗଲକୁ ବ୍ୟାପିଯିବ । ଜଙ୍ଗଲ ଆଖପାଖରେ ଥିବା ଜନବସତି ମଧ୍ୟ ନିଆଁ ଧାସରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଏବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ୫ଟି ଗାଁ ଲୋକ ବାସ କରୁଛନ୍ତି । ସେମାନଙ୍କ ଲାଗି ବିପଦ ସୃଷ୍ଟି ହୋଇପାରେ । ବାତ୍ୟାରେ ଅନେକ ବାଉଁଶ ବୁଦା ଉପୁଡ଼ି ପଡ଼ିଥିବାରୁ ତାହାକୁ ସଫା କରିବା କିମ୍ବା କାଟିବା ସମ୍ଭବପର ନୁହେଁ । ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜଙ୍ଗଲକୁ ରକ୍ଷା କରାଯାଇପାରିବ ।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) କେଦାରନାଥ ସ୍ୱାଇଁ କହିଛନ୍ତି, ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ସଚେତନ କରାଯାଉଛି। ୱାଚ୍ ଟାୱାରରୁ ଜଙ୍ଗଲ ଉପରେ କଡ଼ା ନଜର ରଖାଯାଇଛି । କର୍ମଚାରୀମାନେ ୨୪ଘଣ୍ଟିଆ ନଜର ରଖିଛନ୍ତି । ନିଆଁ ଲିଭାଇବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ବି ପ୍ରୟୋଗ କରାଯିବ । ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ ।