କନକ ବ୍ୟୁରୋ : ଅମଳ ସମୟରେ ଏବେ ରୋଗ ପୋକ ଚିନ୍ତା । ପୂବ ର୍ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚକଡା ଦାଉରୁ ବର୍ତ୍ତିପାରିନି ଚାଷୀ । ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଅଂଚଳର ଚାଷ ଜମିଗୁଡିକରେ ଦେଖିବାକୁ ମିଳିଛି ଚକଡା, ଗୁଡାଖୁ ଏବଂ ଗୁଣ୍ଡିପୋକ । ରୋଗ ପୋକଙ୍କ ଦାଉରେ ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ । କିଭଳି ଋଣ ପରିଶୋଧ କରିବ ଆଉ ପରିବାର ପ୍ରତିପୋଷଣ କରିବ ସେଇ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି ବୌଦ୍ଧ ଜିଲ୍ଲାର ଚାଷୀ ।

Advertisment

ଧନ କାଟି ଖଳାକୁ ଆଣିବା ପାଇଁ ପାଗ ଭିଡୁଥିଲେ ଚାଷୀ । ଆଉ ଏତିକି ବେଳେ ଆକ୍ରମଣ କଲା ରୋଗପୋକ । ଅମଳକୁ ଅପେକ୍ଷା କରିଥିବା ପାଚିଲା ଧାନ ଏବେ ରୋଗ-ପୋକ କବଳରେ । ଚକଡା ଦାଉରୁ ଫସଲକୁ ସୁରକ୍ଷା ଦେବାରେ ସଫଳ ହୋଇପାରିନି ଚାଷୀ । କେବଳ ଚକଡା ନୁହେଁ ହେକ୍ଟର ହେକ୍ଟର ଜମିରେ ଲାଗିଛି ଗୁଡାଖୁ ଓ ଗୁଣ୍ଡି ପୋକ । ଫସଲରୁ ପୋକ ମାରିବା ପାଇଁ ଚାଷୀ ଯେତେ ପ୍ରକାର କୀଟନାଶକ ପ୍ରୟୋଗ କଲେ ବି କିଛି ଲାଭ ମିଳୁନାହିଁ । ଏଭଳି ସ୍ଥିତିରେ ଚାଷୀ କଣ ଅମଳ କରିବ ଆଉ ବିକ୍ରି କରିବ ତାକୁ ନେଇ ଚିନ୍ତାରେ ।

ଚଳିତ ବର୍ଷ ବୌଦ୍ଧରେ ଭଲ ବର୍ଷା ହୋଇଥିଲା । ଭଲ ଧାନ ବି ହୋଇଥିଲା । ଆଉ ଧାନ ବିଲକୁ ଦେଖି ଚାଷୀ ଛାତିକୁଣ୍ଢେ ମୋଟ ହେଉଥିଲା । ବର୍ଷକର ଆହାର ରଖି ବଳକା ଶସ୍ୟ ବିକ୍ରି କରି ଋଣ ସୁଝିବା ଚିନ୍ତା କରିଥିଲେ ଚାଷୀ । ହେଲେ ଅମଳ ଆଗରୁ ସ୍ୱପ୍ନ ଛାରଖାର ହୋଇଯାଇଛି । କେବଳ ଚଳିତ ବର୍ଷ ନୁହେଁ ବର୍ଷ ବର୍ଷ ଧରି ଚାଷୀ ଏଭଳି ପରିସ୍ଥତିର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ଏଥିପ୍ରତି କର୍ଣ୍ଣପାତ କରିବା ଜରୁରୀ ।