ପୁଣି ଫେରିଲା ଚକଡ଼ା ଚଡକ ! ଧାନ ଚାଷରେ ପୋକ ଲାଗିବା ପରେ ଚିନ୍ତାରେ ସମ୍ବଲପୁର ଜିଲ୍ଲା ଚାଷୀ

31

କନକ ବ୍ୟୁରୋ : ସମ୍ବଲପୁରରେ ଚାରିଆଡେ ଚାଲିଛି ଚକଡା ପୋକର ଆତଙ୍କ । ଏକର ଏକର ଧାନ ଜମିରେ ଚକଡା ପୋକ ଲାଗିବା ଆରମ୍ଭ ହୋଇଯାଇଛି । ପୋକ ଲାଗିବା ଦେଖି ଚାଷୀ କୀଟନାଷକ ସିଂଚନ କରୁଛି ହେଲେ କିଛି ଲାଭ ନାହିଁ । କାରଣ ଉଭୟ ସରକାରୀ ଓ ବେସରକାରୀ ଔଷଧ କାମ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ ପୁଣି ଥରେ କ୍ଷତି ସହିବାର ସମ୍ଭାବନା ରହିଛି ।

 

ମୁଣ୍ଡ ଫଟା ଖରାରୁ ପାଣି ମୁନ୍ଦାଏ ଦେଇ ଚାଷୀ ବଂଚାଇ ରଖିଥିବା ଫସଲକୁ ଖାଇ ଦେଉଛି ପୋକ । ଧାନ କ୍ଷୀର ଧରି ଆସୁଥିବା ବେଳେ ଶୋଷି ଦେଉଛି ଚକଡା ପୋକ । ଖରିଫ ଧାନକୁ ଚକଡା ଖାଇ ଦେବା ପରେ ହତାସ ହୋଇପଡିଥିବା ସମ୍ବଲପୁର ଚାଷୀ ରବିରେ ଧାନ ଚାଷ କରିଛନ୍ତି । ଜିଲ୍ଲାର ମାନେଶ୍ୱର, ଧନକଉଡ଼ା, ଯୁଯୁମୁରା ବ୍ଲକରେ ଚାଷୀ ଡାଲୁଆ ଧାନ ଚାଷ କରିଥିବା ବେଳେ ଚକଡା ପୋକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏକର ଏକର ଡାଳୁଆ ଧାନ ଚକଡା ପୋକ ଲାଗିବାରୁ ଗଛ ସବୁ ମରିବାକୁ ବସିଲାଣି । ସବୁଠାରୁ ବଡ ଚିନ୍ତା ହେଉଛି ଚକଡା ନିୟନ୍ତ୍ରଣ ପାଇଁ ଜମିରେ ସିଂଚନ କରୁଥିବା କୀଟନାଶକ କାମ କରୁନି ।

ଧନକଉଡ଼ା ବ୍ଲକର ଚାରପାଲିରେ ଆନନ୍ଦ ଛୁରିଆ ୫୦ ଏକର ଜମିରେ ଚାଷ କରିଥିବା ବେଳେ ୧୫ ଏକର ଜମିରେ ଚକଡା ମାଡି ଗଲାଣି । ସମ୍ବଲପୁର ଜିଲ୍ଲାର ୭୮ ହେକ୍ଟର ଚାଷ ଜମିରେ ଚକଡା ଲାଗିଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ । ରୋଗ ନିରାକରଣ ପାଇଁ ଚାଷୀଙ୍କୁ ସରକାରୀ ସ୍ତରରେ ଔଷଧ ଯୋଗାଇ ଦିଆଯାଉଥିବା କହିଛନ୍ତି ।