ଲୁଟ୍‌ର ଶିକାର ହେଲେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ : ମାଡ଼ ମାରି ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

184

କନକ ବ୍ୟୁରୋ : ଲୁଟ୍‌ର ଶିକାର ହେଲେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ।  ପାହାଳ ଫାଣ୍ଡି ଅଧୀନ ଅଡାଳିଆ ସ୍ଥିତ ଡିପିଏସ୍‌ ସ୍କୁଲ ନିକଟରେ ଗତକାଲି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲୁଟ୍‌ର ଶିକାର ହୋଇଛନ୍ତି । ଗତକାଲି ଆଜି ସେ ୟୁନିଟ୍‌-୨ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ପୁଷ୍ପବତୀ ମହାପାତ୍ରଙ୍କୁ ମାଡ଼ ମାରି ବେକରୁ ୨୦ ଗ୍ରାମ୍‌ ଓଜନର ସୁନା ଚେନ୍‌ ଝାମ୍ପି ନେଇଥିଲେ । ଏ ସଂପର୍କରେ ତାଙ୍କ ପୁଅ ସତ୍ୟଜିତ୍‌ ମହାପାତ୍ର ପାହାଳ ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଘଟଣାସ୍ଥଳରେ ଛାନଭିନ୍‌ କରିବା ସହ ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷେ ଲୁଟ୍‌ ବେଳେ ପୁଷ୍ପବତୀ ଗାଡ଼ିରୁ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ପରିବାରଲୋକ ତାଙ୍କୁ ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ଦୁର୍ବୃତ୍ତମାନେ ଲୁଟ୍‌ ବେଳେ ଯେଉଁ ବାଇକ୍‌ଟିର ବ୍ୟବହାର କରିଥିଲେ, ତାହା ଏକ ଚୋରା ବାଇକ୍‌ ।

ବାଇକ ନମ୍ବର ତଥ୍ୟ ଆଧାରରେ ପୁଲିସ ସ୍ଥାନୀୟ ଜୋହଳ ଗ୍ରାମର ସଂଜୟ କୁମାର ବେହେରାଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲା। କିନ୍ତୁ ଉକ୍ତ କଳା ଓ ନାଲିରଙ୍ଗର ୟାମାହା ଏଫ ଜେଡଏସ କିଛି ଦିନ ତଳେ ଚୋରି ହୋଇଯାଇଥିବା ସଂଜୟ କହିଥିଲେ।