ଆଉ କଲେଜ୍ ଦୌଡ଼ିବାକୁ ପଡ଼ିବନି : ଅନଲାଇନରେ ଉପଲବ୍ଧ ହେବ ସାର୍ଟିଫିକେଟ ଓ ମାର୍କସିଟ୍

220

କନକ ବ୍ୟୁରୋ : ନକଲି ସାର୍ଟିଫିକେଟ୍‌ ଉପରେ ଲାଗିବ ରୋକ୍‌ । ଜାଲିଆତି କରି ବାହାରୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଧରାପଡ଼ିବେ । ଏଥିସହ ବିଶ୍ବର ଯେକୌଣସି ସ୍ଥାନରେ ଥିଲେ ବି ଛାତ୍ରଛାତ୍ରୀ ସେମାନଙ୍କ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ସହଜରେ ପାଇପାରିବେ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନ୍ୟାସନାଲ ଏକାଡେମିକ୍‌ ଡିପୋଜିଟୋରି(ନାଡ୍‌) ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ଆଦିର କମ୍ପ୍ୟୁଟରୀକରଣ କରାଯାଇ ସର୍ଭର୍‌ରେ ରଖାଯିବ ।

ଛାତ୍ରଛାତ୍ରୀ ଯେତେବେଳେ ଚାହିଁବେ, ସେଠାରୁ ନିଜର ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍ କରିପାରିବେ । ଏହି ବ୍ୟବସ୍ଥାରେ ପିଲାଙ୍କ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ନଷ୍ଟ ହେବାର ସମ୍ଭାବନା ନାହିଁ । ବିଶ୍ବବିଦ୍ୟାଳୟ ଓ କଲେଜରୁ ସାର୍ଟିଫିକେଟ୍‌ ପାଇବା ଲାଗି ବର୍ଷ ବର୍ଷ ଧରି ଅପେକ୍ଷା କରିବା‌କୁ ପଡ଼ିବ ନାହିଁ କି ବାରମ୍ବାର ଦୌଡ଼ିବାକୁ ପଡ଼ିବନି । ଗୋଟିଏ କ୍ଲିକ୍‌ରେ ଜଣେ ବିଦ୍ୟାର୍ଥୀ ସହଜରେ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପାଇପାରିବ ।

୨୦୧୭ରୁ ନାଡ୍‌ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କିମ୍ବା ଛାତ୍ରଛାତ୍ରୀ ଏ ବିଷୟରେ ଅବଗତ ନାହାନ୍ତି । ଏଥିପାଇଁ ଏବେ ସୁଦ୍ଧା ଓଡ଼ିଶାରୁ ବହୁ କମ୍‌ ଛାତ୍ରଛାତ୍ରୀ ନାଡ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି । ନାଡ୍‌ର ପରାମର୍ଶଦାତା ପୀୟୁଷ ବିଶ୍ବାସ କହିଛନ୍ତି ଯେ ଦେଶର ୧ହଜାର ୪୩ଟି ବିଶ୍ବବିଦ୍ୟାଳୟ ପଞ୍ଜୀକରଣ କରିସାରିଛନ୍ତି । ୪ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ସାର୍ଟିଫି‌କେଟ୍‌ ଅପ୍‌ଲୋଡ୍ ହୋଇସାରିଛି । ତେବେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନଗଣ୍ୟ ରହିଛି । ସଚେତନତା ଅଭାବରୁ ଏବେ ସୁଦ୍ଧା ଦେଶର ମାତ୍ର ୫ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ ନାହିଁ ।

ଏବେ ସୁଦ୍ଧା ଓଡ଼ିଶାରେ ୩୩ଟି ଶିକ୍ଷାନୁଷ୍ଠାନ ପଞ୍ଜୀକରଣ କରିଛନ୍ତି । ଏକ ଲକ୍ଷ ୩୩ ହଜାର ସାର୍ଟିଫିକେଟ୍‌ ଅପ୍‌ଲୋଡ୍‌ ହୋଇଛି । ତେବେ ଏହି ସଂଖ୍ୟା ବହୁତ କମ୍‌ । ‌ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ କିମ୍ବା ପରୀକ୍ଷା ନିୟନ୍ତ୍ରକ ହିଁ ସାର୍ଟିଫିକେଟ୍‌ ଅପ୍‌ଲୋଡ୍‌ କରିପାରିବେ । ସାର୍ଟିଫିକେଟ୍‌ ଜାଲିଆତି ହେବାର ସମ୍ଭାବନା ନାହିଁ । ହ୍ୟାକ୍‌ କରି କେହି ସାର୍ଟିଫିକେଟ୍‌ ନେଇପାରିବେ ନାହିଁ । ପୋର୍ଟାଲରେ ପଞ୍ଜୀକରଣ ସହ ପିଲାମାନଙ୍କୁ ଆଧାର କାର୍ଡ ନମ୍ବର ଦେବାକୁ ପଡ଼ିବ। ପଞ୍ଜୀକରଣ ପରେ ପିଲାମାନଙ୍କୁ ଏକ କୋଡ୍‌ ମିଳିବ । ଯାହାକୁ ନେଇ ସେମାନେ ଲଗ୍‌-ଇନ୍‌ କରି ସାର୍ଟିଫିକେଟ୍‌ ପାଇପାରିବେ । ‌କୌଣସି ଚାକିରି କିମ୍ବା ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ଆଉ ସାର୍ଟିଫିକେଟ୍‌ର ଆଟେଷ୍ଟେଡ୍‌ ଫଟୋ କପି, ଓରିଜିନାଲ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ପଡ଼ିବ ନାହିଁ । ସ୍କୁଲଠାରୁ ଆରମ୍ଭ କରି ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍‌ ଫିଲ୍‌, ପିଏଚ୍‌ଡି ଆଦି ସାର୍ଟିଫିକେଟ୍‌ ଉପଲବ୍ଧ ହେବ ।

ଏଭଳି ବ୍ୟବସ୍ଥା ସମ୍ପର୍କରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଚେତନ କରିବା ଲାଗି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ନିରଞ୍ଜନ ସାହୁ ଯୋଗଦେଇ କହିଲେ, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କିଭଳି ଏହି ପୋର୍ଟାଲରେ ପଞ୍ଜୀକୃତ ହେବେ ଓ ଛାତ୍ରଛାତ୍ରୀଙ୍କୁ ସୁବିଧାରେ ସାର୍ଟିଫିକେଟ୍‌ ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପଦ୍ମଜା ମିଶ୍ର କହିଲେ, ନୂତନ ଶିକ୍ଷାନୁଷ୍ଠାନ ଭାବେ ଆମେ ପଞ୍ଜୀକରଣ କରିସାରିଛୁ । ଖୁବ୍‌ଶୀଘ୍ର ସାର୍ଟିଫିକେଟ୍‌ ଅପ୍‌ଲୋଡ୍‌ କରାଯିବ । ଛାତ୍ରୀଙ୍କ ଲାଗି ଏହା ବେଶ୍‌ ସହାୟକ ହେବ । ସାର୍ଟିଫିକେଟ୍‌ ଲାଗି ବିଶ୍ବବିଦ୍ୟାଳୟକୁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ।