କନକ ବ୍ୟୁରୋ : ଏସସିବିରେ ହେବ ପୂର୍ବଭାରତର ଉତ୍କର୍ଷ ଯକ୍ଷ୍ମାରୋଗ ଗବେଷଣା କେନ୍ଦ୍ର । ଏହାର ନିର୍ମାଣ ପାଇଁ ଆଜି ପ୍ରଥମ ଦଫାରେ ସାତମହଲା କୋଠା ପାଇଁ ମିଳିଛି ପ୍ରଶାସନିକ ମଂଜୁରୀ । ୫କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେବ ଏହି କୋଠା । ଏଣିକି ରାଜ୍ୟର ରୋଗୀଙ୍କୁ ଆଉ ଯକ୍ଷ୍ମା, ଫୁସ୍ଫୁସ୍ କର୍କଟ, ଟିବି ତଥା ବିଭିନ୍ନ ଜଟିଳ ରୋଗ ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି । ଏସସିବିରେ ଖୁବଶୀଘ୍ର ଆରମ୍ଭ ହେବ ଏଭଳି ବ୍ୟବସ୍ଥା । ଏନେଇ ଡ଼ିଏମ୍ ପଲ୍ୟୁମୁନାରୀ ମେଡିସିନ୍ ପାଠ୍ୟକ୍ରମ ପାଇଁ ୨ଟି ସିଟ୍ ପାଇଁ ଏମ୍ସିଆଇକୁ ଲେଖାଯିବା ସହ ଟେକ୍ନିସିଆନ୍, ବ୍ରୋଙ୍କୋସ୍କୋପିକ୍ ଫିଜିଓଥେରାପି ସମେତ ଯକ୍ଷ୍ମାରୋଗ ପାଇଁ ବିଭିନ୍ନ ଟେକ୍ନିସିଆନ ପାଠ୍ୟକ୍ରମ ମଧ୍ୟ ଖୋଲାଯିବାର ଯୋଜନା ରହିଥିବା ଉତ୍କର୍ଷ ଯକ୍ଷ୍ମାରୋଗ ବିଭାଗ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଏସ୍ସିବି ମେଡିକାଲର ପୁଲ୍ୟୁମୁନାରୀ ମେଡିସିନ୍ ବିଭାଗରେ ନିର୍ମାଣ ଚାଲିଥିବା ଜି+୩ କୋଠା ଉପରେ ୭ମହଲା କୋଠା ନିର୍ମାଣ କରାଯିବ । ଯାହାର ନିର୍ମାଣ ପାଇଁ ସରକାର ୫କୋଟି ୩ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଏନେଇ ଆଜି ପ୍ରଶାସନିକ ମଂଜୁରୀ ଆସିଥିବା ସଂପର୍କରେ ଉତ୍କର୍ଷ ଯକ୍ଷ୍ମାରୋଗ ବିଭାଗ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି । କେନ୍ଦ୍ରରେ ସମସ୍ତ ପ୍ରକାର ଅତ୍ୟାଧୁନିକ ପରୀକ୍ଷଣ ମେସିନ୍, ଲେଜର, କ୍ରାୟୋ, ରିଲିଫ୍ ବ୍ରୋେଙ୍କାସ୍କୋପିକ୍, ସ୍ଲିପ୍ ମେଡିସିନ୍ ସହ ଅନେକ ଉପକରଣ ରହିବ । ଏଥିସହ ଫୁସ୍ଫୁସ୍ କ୍ୟାନସର, ସିଓପିଡି, ଗୁରୁତର ଯକ୍ଷ୍ମାରୋଗ ସହ ଜଟିଳ ରୋଗର ଚିକିତ୍ସା ସମ୍ଭବ ହେବ।
ଏଥିରେ ସ୍ବତନ୍ତ୍ର ଆଇସୋଲେସନ୍ ଆଇସିୟୁ ରହିବ । ଯେଉଁଠି ଟିବି ରୋଗୀମାନେ ଭର୍ତ୍ତି ହୋଇପାରିବେ । ବିଭିନ୍ନ ଜଟିଳ ରୋଗର ଗବେଷଣା ମଧ୍ୟ ଏଠାରେ କରାଯିବ । ଏଥିସହ ଟିଚିଙ୍ଗ ଓ ନନ୍-ଟିଚିଙ୍ଗ କର୍ମଚାରୀ ମଧ୍ୟ ନିଯୁକ୍ତି ଦିଆଯିବ । ଏଭଳି ଉତ୍କର୍ଷ ଗବେଷଣା କେନ୍ଦ୍ର ନେଇ ଗତ କିଛି ମାସ ତଳେ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ଯାଇଥିଲା । ଯାହା ଉପରେ ଚୂଡାନ୍ତ ମୋହର ଲାଗିଛି । ଏଭଳି ଗବେଷଣା କେନ୍ଦ୍ର ପୂର୍ବଭାରତରେ ପ୍ରଥମ । ତେଣୁ ଏହା ଦ୍ବାରା କେବଳ ଚିକିତ୍ସା ନୁହେଁ ଗବେଷଣା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇପାରିବ ବୋଲି ପ୍ରଫେସର ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି ।