ଗୁରୁପ୍ରିୟା ସେତୁ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ! ମାଲକାନଗିରି ଆସୁଛନ୍ତି ସେଂଟ୍ରାଲ ରୋଡ ରିସର୍ଚ ଇନଷ୍ଟିଚ୍ୟୁଟର ପ୍ରତିନିଧି

42

କନକ ବ୍ୟୁରୋ : ମାଲକାନଗିରିରେ ନିର୍ମାଣ ସରିଥିବା ଗୁରୁପ୍ରିୟା ସେତୁ ଗସ୍ତ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ଏଥିପାଇଁ ସେଂଟ୍ରାଲ ରୋଡ ରିସର୍ଚ ଇନଷ୍ଟିଚ୍ୟୁଟ-ସି.ଆର.ଆର.ଆଇ.ର ପ୍ରତିନିଧି ଦଳ ମାଲକାନଗିରି ଆସୁଛନ୍ତି । ପ୍ରତିନିଧି ଦଳର ୭ ଜଣ ବରିଷ୍ଠ ବୈଜ୍ଞାନିକ ଗୁରୁପ୍ରିୟା ସେତୁର ମାନ ଯାଂଚ କରିବ । ୩ ଦିନ ଧରି ଏହି ଯାଂଚ ଚାଲିବ । ପ୍ରତିନିଧି ଦଳର ରିପୋର୍ଟ ପରେ ହେବ ଗୁରୁପ୍ରିୟା ସେତୁର ଉଦଘାଟନ । ମାଲକାନଗିରିର ବିଚ୍ଛିନ୍ନାଂଚଳରେ ସଂଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇଛି । ଏହାହେଲେ ବିଚ୍ଛିନ୍ନାଂଚଳକୁ ଯୋଗାଯୋଗ ଅଧିକ ସହଜ ହେବ । ସେତୁକୁ ସିସିଟିଭି ନଜରରେ ରଖାଯାଇଛି ।

ସୂଚନାଯୋଗ୍ୟ ୫୦ ବର୍ଷ ପରେ ମାଲକାନଗିରିର ୩୦ ହଜାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସଫଳ ହେବାକୁ ଯାଉଛି । ବହୁ ବାଧାବିଘ୍ନ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥବା ଜାନବାଇ ନଦୀ ଉପରେ ହୋଇଥିବା ଗୁରୁପ୍ରିୟା ସେତୁ କାମ ଶେଷ ହୋଇଛି । ନିଜ ରାଜ୍ୟରେ ନିର୍ବାସନର ଜୀବନ ଜିଉଁଥିବା ଚିତ୍ରକୋଣ୍ଡାର ୧୫୧ଟି ଗାଁ ଲୋକ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି ।

ରାଜ୍ୟରେ ନିର୍ମାଣ ହୋଇଥିବା ଅନ୍ୟ ସେତୁ ଠାରୁ ସବୁଠାରୁ ଅଲଗା ହେଉଛି ଗୁରୁପ୍ରିୟା ସେତୁ । କାରଣ, ମାଲକାନଗିରିର ବିଚ୍ଚିନ୍ନାଞ୍ଚଳ ଚିତ୍ରକୋଣ୍ଡାର ୧୫୧ଟି ଗାଁର ଏହା ହେଉଛି ଆଶା ଭରସାର ସେତୁ । ୧୯୬୦ ମସିହା ପ୍ରାରମ୍ଭରୁ ଅର୍ଥାତ ୫୦ ବର୍ଷରୁ ଅଧିକ ବର୍ଷ ଧରି ବାହ୍ୟଜଗତରୁ ଅଲଗା ରହିଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତର ସେତୁ । ଅଂଚଳବାସୀ ଏନେଇ ବହୁତ ଉତ୍ସାହିତ ଅଛନ୍ତି ।