ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରାଜନଗରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ : ୪ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ, ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ସମୀକ୍ଷା ବୈଠକ

199

କନକ ବ୍ୟୁରୋ : ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ ପହଂଚିଛନ୍ତି । ସେଠାରେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି ଏହି ଟିମ । ୨ଟି ଦଳରେ ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଟିମ ଚାନ୍ଦବାଲି ଓ ବାସୁଦେବପୁରରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଗସ୍ତ କରିବେ ।

ସେହିପରି ଦ୍ୱିତୀୟ ଟିମ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଅନୁଧ୍ୟାନ କରୁଛି । ଅପରାହ୍ଣରେ ଜଗତସିହଂପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ସ୍ଥିତି ଅନୁଧ୍ୟାନ କରିବ ଟିମ । ସନ୍ଧ୍ୟାରେ ଏହି ଦୁଇଟି ଟିମ ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଏହି ଟିମ ଭଦ୍ରକର ଚାନ୍ଦବାଲି ପ୍ରଭାବିତ ଅଂଚଳ ବୁଲିଛନ୍ତି । ଏଥିସହ ଧାମରାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ସେଠାକାର ଲୋକମାନଙ୍କ ମତାମତ ମଧ୍ୟ ନେଇଛନ୍ତି ।