ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ କେନ୍ଦ୍ରୀୟ ଦଳ : ଦୁଇ ଭାଗ ହୋଇ ଦୁଇ ଦିନରେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଗସ୍ତ କରି କରିବେ ସ୍ଥିତି ଅନୁଧ୍ୟାନ, ଆସନ୍ତାକାଲି ସଂଧ୍ୟାରେ ହେବ ଉଚ୍ଚ ସ୍ତରୀୟ ବୈଠକ

130

କନକ ବ୍ୟୁରୋ : ତିନି ଦିନିଆ ଓଡିଶା ଗସ୍ତରେ ୭ ଜଣିଆ କେନ୍ଦ୍ରୀୟ ଦଳ । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଛନ୍ତି ଏହି ଟିମ୍ । ଏମାନେ ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିବେ । ଦୁଇଟି ଦଳ ହୋଇ ଏହି କେନ୍ଦ୍ରୀୟ ଅଧିକାରୀମାନେ ବାତ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବେ । ମିଳିଥିବା ସୂଚନା ଅନୁସାରେ, ଆଜି ଗୋଟିଏ ଦଳ ବାଲେଶ୍ୱର ଗସ୍ତକରିବେ ଏବଂ ଅନ୍ୟ ଦଳ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ । ସେହିପରି ଆସନ୍ତିକାଲି ପ୍ରଥମ ଦଳ ଭଦ୍ରକ ଓ ଦ୍ୱିତୀୟ ଦଳ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

ପରେ ଶୁକ୍ରବାର ସଂଧ୍ୟାରେ ଉଭୟ ଦଳ ଭୁବନେଶ୍ୱର ଫେରିବେ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସାମିଲ ହେବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ଅନୁଧ୍ୟାନ କରିଥିଲେ ଏବଂ ପ୍ରାରମ୍ଭିକ ଭାବେ ରାଜ୍ୟକୁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଘୋ,ଣା କରିଥିଲେ । ଏହା ସହ ତୁରନ୍ତ କେନ୍ଦ୍ରୀୟ ଦଳ ଆସି ରାଜ୍ୟରେ ଘଟିଥିବା କ୍ଷୟକ୍ଷତିର ଆକଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେହି କ୍ରମରେ ଗତକାଲି ଆନ୍ତଃ ମନ୍ତ୍ରାଣାଳୟ ସ୍ତରୀୟ ଏହି ପ୍ରତିନିଧି ଦଳ ଓଡିଶା ପହଂଚିଛନ୍ତି ।